ରାଞ୍ଚି: ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା | ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଚମ୍ପାଇ ସୋରେନ୍ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ସବୁ ପ୍ରକାର ସମ୍ପର୍କ ତୁଟାଇ ଦେଇଛନ୍ତି | ସେ ଆଜି ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀରୁ ରାଞ୍ଚିରେ ପହଞ୍ଚିବା ପରେ ସେ ଆଜି ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ସେ ୩୦ ଅଗଷ୍ଟରେ ବିଜେପିରେ ଯୋଗଦେବେ। ଚମ୍ପାଇ ସୋରେନଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ଶିବୁ ସୋରେନଙ୍କୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ଚମ୍ପାଇ ସୋରେନ ଲେଖିଛନ୍ତି, "ମୁଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବର୍ତ୍ତମାନର କାର୍ଯ୍ୟଶୈଳୀରେ ବିକ୍ଷୁବ୍ଧ ହୋଇ ଦଳ ଛାଡିବାକୁ ବାଧ୍ୟ ହେଲି ।

Advertisment

ଅତ୍ୟନ୍ତ ଦୁଃଖର ସହିତ ମୁଁ କହିବାକୁ ଚାଁହୁଛି ଯେ ମୁଁ ଆପଣଙ୍କ ମାର୍ଗଦର୍ଶନରେ ଯେଉଁ ଦଳର ସ୍ବପ୍ନ ଆମ ଭଳି କର୍ମୀମାନେ ଦେଖିଥିଲୁ, ଯେଉଁଥିପାଇଁ ଆମେ ସବୁ କିଛି କରୁଥିଲୁ, ସେହି ଦଳ ଆଜି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇଛି। 

ଚମ୍ପାଇ ସୋରେନ୍ ଆହୁରି ଲେଖିଛନ୍ତି, ଜେଏମ୍ଏମ୍ ମୋ ପାଇଁ ଏକ ପରିବାର ପରି ଥିଲା ଓ ମୁଁ କେବେ ବି ସ୍ୱପ୍ନରେ ଭାବି ନ ଥିଲି ଯେ ମୋତେ ଛାଡିବାକୁ ପଡିବ, କିନ୍ତୁ ଗତ କିଛି ଦିନର ଘଟଣା ହେତୁ ମୋତେ ଏହି କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡିଲା। ଚମ୍ପାଇ ସୋରେନ୍ ତାଙ୍କ ଚିଠିରେ ମଧ୍ୟ ଲେଖିଛନ୍ତି, "ଆପଣଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ହେତୁ ଆପଣ ସକ୍ରିୟ ରାଜନୀତିରୁ ଦୂରରେ ଅଛନ୍ତି ଏବଂ ଆପଣଙ୍କ ବ୍ୟତୀତ ପାର୍ଟିରେ କୌଣସି ଫୋରମ୍ ନାହିଁ ଯେଉଁଠାରେ ଆମେ ଆମର ଯନ୍ତ୍ରଣା ପ୍ରକାଶ କରିପାରିବୁ। ଏହି କାରଣରୁ ମୁଁ ଇସ୍ତଫା ଦେଉଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦପଦବିରୁ ଇସ୍ତଫା ଦେଉଛି | ମୁଁ ଜୀବନରେ ବହୁତ କିଛି ଶିଖିବାର ସୁଯୋଗ ପାଇଛି, ଆପଣ ସବୁବେଳେ ମୋର ମାର୍ଗଦର୍ଶକ ହୋଇ ରହିବେ |