ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ନୂଆପଡା ଗ୍ରାମର କାମିନୀ ରଞ୍ଜନ ପାଣ୍ଡେ (୩୫) ନାମକ ବିବାହିତ ଯୁବକଙ୍କୁ ଉଠାଇନେଲା ପୁଲିସ | ମିଳିଥିବା ସୂଚନା ମୁତାବକ ୩ ସନ୍ତାନର ବାପା କାମିନୀ ରଞ୍ଜନ ପ୍ରେମରେ ପ୍ରତାରଣା କରିଥିବା ଅଭିଯୋଗରେ ଛତିଶଗଡ଼ ପୁଲିସର ଏକ ଟିମ ଆସି ଉଠାଇ ନେଇଛି l ଗିରଫ ଯୁବକ କାମିନୀ ରଞ୍ଜନ ପାଣ୍ଡେ ଦୀର୍ଘ ଦିନରୁ ଫେରାର ଥିବା ନେଇ ଛତିଶଗଡ଼ ବୋଲୋଦା ଜିଲ୍ଲା ହାତବନ୍ଦ ଥାନା ତଦନ୍ତ ଅଧିକାରୀ ଏଏସଆଇ ହରି ସୋନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
ଛତିଶଗଡ ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ନୂଆପଡା ଗ୍ରାମର ଯୁବକ କାମିନୀ ରଞ୍ଜନ ବର୍ଷକ ତଳେ କୌଣସି କାମରେ ରାୟପୁର ଯାଇଥିଲା l ସେଠାରେ ବଲୋଦା ଜିଲ୍ଲା ଦେଓନ୍ଧି ଗ୍ରାମର ଦେହାତୀ ୟାଦବ ନାମ୍ନୀ ଜଣେ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଏଏନଏମ ସହ ସଂସ୍ପର୍ଶରେ ଆସି ନିଜକୁ ଜଣେ ଉଚ୍ଚ ପ୍ରଶାସନିକ ଅଧିକାରୀର ପରିଚୟ ଦେବା ସହ ଅବିବାହିତ ଦର୍ଶାଇ ପ୍ରେମସମ୍ପର୍କ ସ୍ଥାପନ କରିଥିଲା l ପରବର୍ତ୍ତୀ ମୁହୂର୍ତ୍ତରେ ଯୁବତୀ ଜଣକ କାମିନୀ କୌଣସି ସରକାରୀ ଅଧିକାରୀ ହୋଇ ନ ଥିବା ସହ ସେ ଜଣେ ବିବାହିତ ଏବଂ ୩ ସନ୍ତାନର ପିତା ଜାଣି ବଲୋଦା ଜିଲ୍ଲା ହାତବନ୍ଦ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଥାନା କେସ ନଂ ୧୯୪/୨୪ରେ ଏକ ମାମଲା ରୁଜୁ କରିଥିଲା |
ଏହାପରେ ତଦନ୍ତକାରୀ ଅଫିସର ଏଏସଆଇ ହରି ସୋନାଙ୍କ ସହ ଏକ ପୁଲିସ ଟିମ ନୂଆପଡା ଗାଁକୁ ଆସି କାମିନୀକୁ ଗିରଫ କରିବାକୁ ବିଫଳ ହୋଇ ଫେରି ଯାଇଥିଲେ l ଆଜି ଚନ୍ଦାହାଣ୍ଡି ଥାନାକୁ ଛତିଶଗଡ଼ର ଏକ ପୁଲିସ ଟିମ ଆସି କାମିନୀକୁ ଚନ୍ଦାହାଣ୍ଡିରେ ବୁଲୁଥିବା ସମୟରେ ଗିରଫ କରି ଛତିଶଗଡ଼ ନେଇ ଯାଇଥିବା ଜଣାପଡିଛି |