ରାଉରକେଲା: ମୋଟରବାଇକ୍ରେ ଆସିଲେ। ନିଜକୁ ଭବିଷ୍ୟଦ୍ରଷ୍ଟା କହି ମହିଳାଙ୍କୁ ବିଶ୍ବାସ ଜନ୍ମାଇଲେ। ପରିବାର ଉପରେ ବିପଦ ହଟିବାକୁ ଆଗକୁ ୫୧ ପାଦ ଚାଲିବାକୁ କହିଲେ। ମହିଳାଙ୍କଠୁ ସୁନାଚେନ୍ ଓ ମୁଦି ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଲେ। ଆଜି ପବିତ୍ର ମକରସଂକ୍ରାନ୍ତରେ ରାଉରକେଲା ମୁଖ୍ୟମାର୍ଗରେ ଏମିତି ଘଟଣା ଘଟିଛି। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ଉଦିତନଗର ପୁଲିସ ମାମଲା ରୁଜୁ କରିଛି। ସିସି କ୍ୟାମେରା ଫୁଟେଜ୍ ଆଧାରରେ ଦୁଇ ଯୁବକକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ଦୁଇ ଲୁଟେରାଙ୍କୁ ଠାବ କରିପାରିନି। ମିଳିଥିବା ସୂଚନା ମୁତାବକ ରାଉରକେଲା ମୁଖ୍ୟମାର୍ଗରେ କିରଣ ଅଗ୍ରୱାଲ ପରିବାର ସହ ରହନ୍ତି।
ମକରସଂକ୍ରାନ୍ତିରେ ବିଶ୍ରା ରୋଡସ୍ଥ ଶ୍ୟାମମନ୍ଦିରକୁ ପୂଜା କରିବାକୁ ଘରୁ ବାହାରିଥିଲେ। ମୁଖ୍ୟମାର୍ଗରେ ପୂଜାଥାଳି ଧରି ମନ୍ଦିରକୁ ଯାଉଥିବାବେଳେ ମାଲଗୋଦାମ ଛକ ନିକଟରେ ହଠାତ୍ ଦୁଇ ଯୁବକ ବାଇକ୍ ଆସି ଅଟକାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ନିଜକୁ ଭବିଷ୍ୟଦ୍ରଷ୍ଟା ବୋଲି ପରିଚୟ ଦେଇଥିଲେ। କିରଣଙ୍କୁ ପରିବାର ପ୍ରତି ବିପଦ ରହିଛି। ରିଷ୍ଟଖଣ୍ଡନ ପାଇଁ କିଛି କାମ କରିବାକୁ କହି ବିଶ୍ବାସ ଜନ୍ମାଇଥିଲେ। କିରଣଙ୍କୁ ବେକରୁ ସୁନାଚେନ୍ ଓ ମୁଦି ବାହାର କରି ପୂଜାଥାଳିରେ ରଖିବାକୁ କହିଥିଲେ। ଲୁଟେରାଙ୍କ କଥାରେ କିରଣ ବେକରୁ ସୁନାଚେନ୍ ଓ ମୁଦି ବାହାର କରି ପୂଜାଥାଳିରେ ରଖିଥିଲେ। ଆଗକୁ ୫୧ ପାଦ ଚାଲିବାକୁ କହିଥିଲେ। ଚାଲିବା ବେଳେ ପଛ ଓ ଆଖପାଖକୁ ନ ଅନାଇବାକୁ କହିଥିଲେ।
ଲୁଟେରାଙ୍କ କହିବାନୁଯାୟୀ କିରଣ ସୁନାଚେନ୍ ଓ ମୁଦି ଥିବା ପୂଜା ଥାଳିଙ୍କୁ ଲୁଟେରାଙ୍କ ହାତକୁ ବଢ଼ାଇଦେଇ ଆଗକୁ ୫୧ ପାଦ ଚାଲିଥିଲେ। କିରଣ ଚାଲିବା ଆରମ୍ଭ କରିବାବେଳେ ଦୁଇ ଲୁଟେରା ସୁନାଗହଣା ଧରି ସେଠାରୁ ବାଇକ୍ରେ ଚମ୍ପଟ୍ ମାରିଥିଲେ। କିରଣ ଏ ସଂକ୍ରାନ୍ତରେ ସ୍ବାମୀଙ୍କୁ ଜଣାଇଥିଲେ। ଦୁହେଁ ଉଦିତନଗର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଲୁଟେରା ଦୁହେଁ ବାହାର ରାଜ୍ୟର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଡିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଛେଣ୍ଡ ଥାନା ଅନ୍ତର୍ଗତ ମୁଖ୍ୟମାର୍ଗର ଏସ୍ବିଆଇଟି ଏଟିଏମ୍ ପାଖ ଓ ପ୍ଲାଣ୍ଟସାଇଟ୍ ଅନ୍ତର୍ଗତ ଡେଲିମାର୍କେଟ, ଦିପ୍ତୀ ହୋଟେଲ ନିକଟରେ ଏମିତି ଘଟଣା ଘଟିଥିଲା। ଆଜି ପର୍ଯ୍ୟନ୍ତ ଦୁଇଟି ଘଟଣାରେ ପୁଲିସ କାହାରିକୁ ଗିରଫ କରିପାରିନି।