ପତି-ପତ୍ନୀ କଳହ କାଳ ହେଲା : ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଅତ୍ମହତ୍ୟା କଲେ ମହିଳା

ଚେନ୍ନାଇ : ପାରିବାରିକ କଳହକୁ ନେଇ ଜଣେ ସଫ୍ଟଓୟାର ଇଂଜିନିୟରଙ୍କ ସ୍ତ୍ରୀ ନିଜର ଦୁଇ ପିଲାଙ୍କୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବା ଘଟଣା ଏବେ ଅଲୋଡ଼ନ ସୃଷ୍ଟି କରିଛି । ତାଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ୱେ କୌଣସି ଉତ୍ତର ନ ମିଳିବାରୁ ପରିବାର ଲୋକେ ମହିଳାଙ୍କ ସମ୍ପର୍କିୟଙ୍କୁ ତାଙ୍କ ଘର ଦେଖିବା ପାଇଁ କହିଥିଲେ । ସୋମବାର ରାତିରେ ସମ୍ପର୍କିୟ ଜଣଙ୍କ ଯାଇ ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ମହିଳା ନିଜର ଦେଢ଼ ବର୍ଷର ପୁଅ ଏବଂ ୫ ମାସର ଝିଅକୁ ମାରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ ଘଟଣା କ’ଣ ତାହା ମୃତ ଜିହାନା ଶାହାଙ୍କ ସ୍ୱାମୀ ସିରିକ୍‌ ଶାହା ମିଳିବା ପରେ ଜଣାପଡ଼ିବ ବୋଲି ପୁଲିସ କହିିଛି । ଜିହାନା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ସିରିକ୍‌ ଏକ ସପ୍ତାହ ପୂର୍ବରୁ ଘର ଛାଡ଼ି ଚାଲି ଯାଇଥିବା ବେଳେ ଏ ନେଇ ଜିହାନାଙ୍କ ମାନସିକ ଅବସ୍ଥା ଠିକ୍‌ ରହୁ ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ସୂଚନା ଅନୁଯାୟୀ,ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରୁଥିବା ସିରିକ୍‌ ତାଙ୍କ ପରିବାର ସହ ଚେନ୍ନାଇର ନୁକମ୍‌ପଲ୍ୟମରେ ରହୁଥିଲେ । ପୋଙ୍ଗଲ ପର୍ବ ପାଳନ କରିବା ପାଇଁ ଗୁଜୁରାଟ ଯାଇଥିବା ବେଳେ ସିରିକ୍‌ ଏବଂ ଜିହାନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ସିରିକ୍‌ ରାଗି ଯାଇ ସେଠାରୁ ପଳାଇଯିବା ସହ ଆଉ ଘରକୁ ଫେରି ନଥିଲେ । ଏହା ପରେ ଜିହାନା ତାଙ୍କୁ ବାରମ୍ବାର ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସ୍ୱାମୀଙ୍କର ଏପରି କାର୍ଯ୍ୟରେ ଜିହାନା ଚିନ୍ତାଗ୍ରସ୍ତ ହେବା ସହ ଅନ୍ୟମାନଙ୍କ ସହ କଥା ହେବା ବନ୍ଦ କରି କେବଳ ନିଜ ମାତା-ପିତାଙ୍କ ସହ କଥା ଜାରି ରଖିଥିଲେ ।

ସୋମବାର ଜିହାନାଙ୍କ ମା’ ବାରମ୍ବାର ଫୋନ କରିବା ପରେ ଜିହାନାଙ୍କ ଉତ୍ତର ନ ମିଳିବାରୁ ସେ ତାଙ୍କର ଜଣେ ସମ୍ପର୍କିୟଙ୍କୁ ଦେଖିବା ପାଇଁ କହିଥିଲେ । ସମ୍ପର୍କିୟ ଜଣଙ୍କ ଜିହାନା ରହୁଥିବା ଘରେ ପହଞ୍ଚି କବାଟ ବାଡ଼େଇଥିଲେ ମଧ୍ୟ କେହି କବାଟ ଖୋଲି ନଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା । କବାଟ ଭାଙ୍ଗି ଭିତରକୁ ଯିବା ପରେ ଜିହାନାଙ୍କ ଦୁଇ ସନ୍ତାନଙ୍କ ମୃତ ଦେହ ଖଟ ଉପରେ ପଡ଼ିଥିବା ବେଳେ ଜିହାନାଙ୍କ ମୃତ ଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲା ପୁଲିସ । ତଦନ୍ତ ପରେ ମହିଳା ଜଣକ ନିଜର ଦୁଇ ସନ୍ତାନଙ୍କ ମୁହଁରେ ତକିଆ ଚାପିି ସେମାନଙ୍କୁ ମାରିଥିବା ପୁଲିସ ଅନୁମାନ କରିଥିଲା । ଏହା ସହ ଘଟଣାସ୍ଥଳରୁ ଏକ ଚିଠି ମଧ୍ୟ ଜବତ କରାଯାଇଥିଲା, ଯେଉଁଥିରେ ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଥିବା ପୁଲିସ କହିଛି ।

ସମ୍ବନ୍ଧିତ ଖବର