ଜାମିନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଚିଦମ୍ବରମ୍, ମାମଲାର ତ୍ବରିତ ଶୁଣାଣି ନିଷ୍ପତ୍ତି କରିବେ ପ୍ରଧାନ ବିଚାରପତି ଗୋଗୋଇ

ନୂଆଦିଲ୍ଲୀ:  ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୪ସପ୍ତାହରୁ ଅଧିକ ସମୟ ଧରି ଜେଲରେ ଥିବା ଚିଦମ୍ବରମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏହାସହ ଜାମିନ ମାମଲାର ଶୀଘ୍ର ଶୁଶାଣି କରିବା ପାଇଁ ଆବେଦନ କରିଛନ୍ତି । ବିଚାରପତି ଏନ ଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଆବେଦନ କରିଛନ୍ତି ଚିଦମ୍ବରମଙ୍କ ଓକିଲ  କପିଲ ସିବଲ ।

ତେବେ ସୋମବାରଠାରୁ  ଆରମ୍ଭ ହେବାକୁ ଥିବା ସପ୍ତାହ ବ୍ୟାପୀ ଦଶହରା ଛୁଟି ପୂର୍ବରୁ ତୁରନ୍ତ ଶୁଣାଣି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରାଯାଇଛି । ଏହି ଆବେଦନର  ଶୁଣାଣି କେବେ ହେବ ତାହାର ନିଷ୍ପତ୍ତି ନେବାକୁ ମାମଲାକୁ  ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି । ଚିଦାମ୍ବରମ ଜାମିନରେ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ନାମଂଜୁର କରିଥିଲେ । ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିଦମ୍ବରମଙ୍କ ହାଜତ ମିଆଦକୁ ଆଉ ୧୪ ଦିନ ପାଇଁ ବଢାଇଦେଇଛନ୍ତି । ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ସେ ତିହାର ଜେଲରେ ରହିବେ । ସିବିଆଇ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କୁ ଅଧିକ ଜେରା ପାଇଁ ହାଜତ ମିଆଦ ବଢାଇବାକୁ ଯୁକ୍ତି ରଖିଥିଲେ ।

ତେବେ ଚିଦମ୍ବରମଙ୍କୁ ଘରରନ୍ଧା ଖାଦ୍ୟ ପ୍ରଦାନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଠିକ ରହୁ ନ ଥିବାରୁ ଘରରନ୍ଧା ଖାଦ୍ୟ ନିମନ୍ତେ ଅନୁମତି ଦେବାକୁ ଚିଦମ୍ବରମଙ୍କ ଓକିଲ କପିଲ ସିବଲ କୋର୍ଟଙ୍କ ଅନୁମତି ମାଗିଥିଲେ ।

ଗତ ୧୯ ତାରିଖରେ ସିବିଆଇ କୋର୍ଟ ଚିଦମ୍ବରମଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ । ଆଜି ତାଙ୍କର ହାଜତ ମିଆଦ ଶେଷ ହୋଇଥିଲା । ଗତ ଅଗଷ୍ଟ ୨୦ରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର