ନୂଆଦିଲ୍ଲୀ: କରୋନା ଭାଇରସ୍ କେବଳ ଭାରତରେ ନୁହେଁ, ଅନେକ ଦେଶରେ ଲକ୍ଡାଉନ୍ ପରିସ୍ଥିିତି ସୃଷ୍ଟି କରିଛି। ଲକ୍ଡାଉାନ୍ ହେତୁ ପିଲାମାନଙ୍କ ବାହାରକୁ ଯିବା ବନ୍ଦ ହୋଇ ଯାଇଥିବା ହେତୁ ଏବେ ଇଣ୍ଟର୍ନେଟ୍ ପାଲଟିଛି ସେମାନଙ୍କ ସାଥୀ। ଏହି କାରଣରୁ ଅନ୍ଲାଇାନ୍ ଶିଶୁ ନିର୍ଯାତନାର ହାର ବୃଦ୍ଧି ପାଇଥିବା ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି।
ୟୁରୋପୋଲ୍ ନାମକ ଏକ ୟୁରୋପିୟ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି ଯେ ଅନ୍ଲାଇନ୍ ଶିଶୁ ନିର୍ଯାତନାକାରୀଙ୍କର ଅନ୍ଲାଇନ୍ରେ ସକ୍ରିୟତା ବୃଦ୍ଧି ପାଇଛି। ଅନେକ ନିର୍ଯାତନାକାରୀ ଲକ୍ଡାଉନର ସୁଯୋଗ ନେଇ ଘରେ ଏକାକି ଅନୁଭବ କରି ଅନ୍ଲାଇନ୍ ରହୁଥିବା ଶିଶୁମାନଙ୍କୁ ଟାର୍ଗେଟ କରି ନିର୍ଯାତନା କରୁଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ କହିଥିଲେ କି ଲକ୍ଡାଉନ୍ ସମୟରେ କମ୍ପାନିର କିଛି କର୍ମଚାରୀ ଘରେ ବସି କାମ କରି(ୱାର୍କ ଫ୍ରମ୍ ହୋମ୍) ଅନ୍ଲାଇନ୍ରେ ମନ୍ଦ ପୋଷ୍ଟ୍ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନଜର ରଖିବେ।
ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ବକୁ କବଳିତ କରିବାରେ ଲାଗିଛି। ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୪ ହଜାର ୪୧୮ ହୋଇଥିବା ବେଳେ ଏଥିରୁ ୨ ଲକ୍ଷ ୩୩ ହଜାର ୬୮୯ ଜଣ ସୁସ୍ଥ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୬୦ ହଜାର ୧୧୫ ଛୁଇଁଛି।