ନୂଆଦିଲ୍ଲୀ: ମହାରାଷ୍ଟ୍ରର ବସାଇରେ ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି। ସକାଳରୁ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ ଜାମ ଯୋଗୁଁ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସ ଫସି ରହିଯାଇଥିଲା, ଯାହା ଫଳରେ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ପେଲହାରର ଜଣେ ୨ ବର୍ଷୀୟ ବାଳକ ରୟାନ ଶେଖ ଗୁରୁବାର ଅପରାହ୍ନରେ ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ | ତାଙ୍କର ପେଟରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କ ପରିବାର ତାଙ୍କୁ ତୁରନ୍ତ ନିକଟସ୍ଥ ଗାଲାକ୍ସି ହସ୍ପିଟାଲକୁ ନେଇଯାଇଥିଲେ।

Advertisment

ପ୍ରାଥମିକ ଚିକିତ୍ସା ପରେ, ଡାକ୍ତରମାନେ ତାଙ୍କୁ ଏକ ବଡ଼ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାୟ ୧:୩୦ଟା ସମୟରେ ଆମ୍ବୁଲାନ୍ସ ଦ୍ୱାରା ରୟାନଙ୍କୁ ମୁମ୍ବାଇ ପଠାଯାଇଥିଲା। କିନ୍ତୁ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ ଜାମ ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢ଼ିପାରିନଥିଲା । ମୁମ୍ବାଇରୁ ଗୁଜରାଟ ଏବଂ ଗୁଜରାଟରୁ ମୁମ୍ବାଇ ଉଭୟ ରାସ୍ତାରେ ୨୦ ରୁ ୨୫ କିଲୋମିଟର ଲମ୍ବା ଜାମ ଲାଗି ରହିଥିଲା। ଆମ୍ବୁଲାନ୍ସରେ ରୟାନଙ୍କ ଅବସ୍ଥା ଖରାପ ହେଉଥିବା ଦେଖି ତାଙ୍କ ପରିବାର ତାଙ୍କୁ ନିକଟସ୍ଥ ଏକ ଛୋଟ ହସ୍ପିଟାଲକୁ ନେଇଯାଇଥିଲେ। ଆଉ, ସେଠାରେ ଡାକ୍ତରମାନେ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି | ରାଜପଥର ରକ୍ଷଣାବେକ୍ଷଣ, ଟ୍ରାଫିକ୍ ପରିଚାଳନା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସକୁ ପ୍ରାଥମିକତା ନ ଦେବା ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଉଛି।