ଭୁବନେଶ୍ୱର: ଆଜି ଦାରିଦ୍ର୍ୟତାର ଆଉ ଏକ ମର୍ମନ୍ତୁଦ ଦୃଶ୍ୟ ପଦାକୁ ଆସିଛି। ପରିବାର ଆର୍ଥିକ ସ୍ଵଛଳ ନଥିବାର ସୁଯୋଗ ନେଇ ବିହାର ରାଜ୍ୟର ୧୦ ଜଣ ଛୋଟ ପିଲାଙ୍କୁ ନେଇ ଦଲାଲମାନେ ବେଙ୍ଗାଲୁରୁକୁ ଟ୍ରେନ ଯୋଗେ ଚାଲାଣ କରୁଥିବାବେଳେ ଧରାପଡ଼ିଛନ୍ତି। ଟ୍ରେନ ନମ୍ବର ୧୫୨୨୮ ଯଶୋବନ୍ତପୁର ଏକ୍ସପ୍ରେସରେ ୧୨ ଜଣ ପିଲା ବିହାର ରାଜ୍ୟରୁ ଚାଲାଣ ହେଉଥିବା ଖବର ମିଳିଥିଲା | ଏହାପରେ ରୁଚିକା ଅକ୍ସେଶ୍ ଟୁ ଜଷ୍ଟିସ ପ୍ରକଳ୍ପ ର ହେମନ୍ତ କୁମାର ଦାସ, ହରପ୍ରିୟା ପତି, ତଟିନୀ ବିଶ୍ଵାଳ, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଗତକାଲି ରାତିରୁ ଭୁବନେଶ୍ୱର ଷ୍ଟେସନଠାରେ ଜଗି ବସିଥିଲେ। ଭୁବନେଶ୍ବର ଆର. ପି. ଏଫ୍. ପୋଲିସ ଓ ରେଲୱେ ଚାଇଲ୍ଡ ହେଲ୍ପଲାଇନକୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା। ଟ୍ରେନଟି ବିଳମ୍ବରେ ଆସିଥିଲା ଓ ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍ ଅଟକି ଥିଲା। ଏତେ କମ୍ ସମୟ ମଧ୍ୟରେ ସବୁ ପିଲାଙ୍କୁ ଖୋଜି ନପାଇବାରୁ ସେମାନେ ପୋଲିସ ଓ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟମାନଙ୍କ ସହିତ ମିଶି ସେହି ଟ୍ରେନରେ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ଯାତ୍ରା କରି ଟ୍ରେନର ବଗି ଏସ୍ -୧. ଏସ - ୪ ଓ ଏସ - ୬ ରୁ ୧୨ ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ।

Advertisment

ଉଦ୍ଧାର ପରେ ଜଣାପଡି ଥିଲା ସେମାନଙ୍କ ମଧ୍ୟରୁ ୧୦ଜଣ ନାବାଳକ ହୋଇଥିବାବେଳେ ଦୁଇ ଜଣଙ୍କ ବୟସ ୧୮ ବର୍ଷରୁ ଅଧିକ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପିଲା ଖାଗରିଆ ଜିଲ୍ଲାର ହୋଇଥିବାବେଳେ, ଦୁଇ ଜଣ ବେଗୁଲସରାଇ, ଦୁଇ ଜଣ ବାଗଲପୁର, ଦୁଇଜଣ ପୂର୍ଲିଆ, ଜଣେ ମୂଜାଫରପୁର ଓ ଜଣେ ସମସ୍ତିପୁର ଜିଲ୍ଲାର ଥିଲେ । ତେଣୁ ୧୦ ଜଣ ପିଲାଙ୍କୁ ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇଥିଲା। ସମିତି ସେମାନଙ୍କ ମଧ୍ୟରୁ ୪ ଜଣ ପିଲାଙ୍କୁ ଖୋର୍ଦ୍ଧାସ୍ଥିତ ଭୈରବୀ ଓପନ ସେଲ୍ଟରକୁ ପଠାଇ ଥିବାବେଳେ ୬ ଜଣଙ୍କୁ ରୁଚିକା ଓପନ ସେଲ୍ଟରକୁ ପଠାଯାଇଛି ।

ଶିଶୁ କଲ୍ୟାଣ ସମିତିର ନିର୍ଦ୍ଦେଶ କ୍ରମେ ରୁଚିକା କର୍ମକର୍ତ୍ତାମାନେ ଖୋର୍ଦ୍ଧା ରୋଡ ଜି. ଆର୍.ପି. ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଚାରି ଜଣ ଦଲାଲ ଯଥା ବିହାର ଖଗରିଆ ଜିଲ୍ଲାର ମନିଷ କୁମାର, ମୋତିହାରୀ ଜିଲ୍ଲାର ମହମ୍ମଦ ଶୁଭମ୍, ଭାଗଲପୁର ଜିଲ୍ଲାର ଦିଲଖୁସ ଓ ବେଗୁଲସରାଇ ଜିଲ୍ଲାର ଅଙ୍କିତ ସଡାଙ୍କ ମଧ୍ୟରୁ କେବଳ ମନିଷ  କୁମାରଙ୍କୁ ପୋଲିସ ଧରି ନିଜ ହେପାଜତକୁ ନେଇଛି।