ସୁନ୍ଦୁରୁକୋଲି ଗାଁରେ ରାଜ୍ୟ ଶିଶୁ ସୁରକ୍ଷା ଅୟୋଗ ଅଧ୍ୟକ୍ଷା, ମୃତ ନାବାଳିକା ପରିବାରକୁ ସହାୟତା ପ୍ରତିଶ୍ରୁତି 

ବାଲିଆପାଳ : ବାଲିଆପାଳ ଥାନା ଜମ୍ଭୀରାଇ ପଞ୍ଚାୟତ ସୁନ୍ଦୁରୁକୋଲି ଗାଁରେ ନାବାଳିକା ହତ୍ୟା ଘଟଣାର ତଦନ୍ତ ପାଇଁ ଆଜି ଗାଁରେ ପହଞ୍ଚିଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ତାଙ୍କ ସହିତ ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ବତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ବାଲିଆପାଳ ଥାନା ଆଇଆଇସି ବିମଳ କୁମାର ନାୟକ, ପଞ୍ଚାୟତ ପ୍ରତିନିଧି କାର୍ତ୍ତିକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଘଟଣାର ପୃଷ୍ଠଭୂମି ସଂପର୍କରେ ପଚରାଉଚୁରା କରି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ମୃତକଙ୍କ ମା’ଙ୍କୁ ସାନ୍ତ୍ବନା ଦେବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଭିଯୁକ୍ତ ମାଇଁଙ୍କର ଏକ ଦେଢବର୍ଷର ଶିଶୁକନ୍ୟା ରହିଥିବା ବେଳେ ତାର ମଧ୍ୟ କିପରି ରକ୍ଷଣାବେକ୍ଷଣ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଆୟୋଗର ଅଧ୍ୟକ୍ଷା ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ରୋକିବା ପାଇଁ ଗୃହ ବିଭାଗ, ପୁଲିସ ଡିଜି, ସମସ୍ତ ଜିଲ୍ଲାର ଏସ୍‌ପି, ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଏସ୍‌ଓପି ଜାରି କରାଯିବ ବୋଲି କହିଛନ୍ତି। ଶିଶୁମାନଙ୍କ ସୁରକ୍ଷା ଦିଗରେ ସମସ୍ତେ ଦୃଷ୍ଟି ଦେବା ସହିତ ବିଭିନ୍ନ କମିଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ସୁନ୍ଦୁରୁକୋଲି ଗ୍ରାମର ୭ ବର୍ଷର ନାବାଳିକା ବିଷ୍ଣୁପ୍ରିୟା ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା। ଏ ନେଇ ପରିବାର ଲୋକେ ୧୩ ତାରିଖରେ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଦେହରେ ସେହି ଗ୍ରାମର ଦୀପକ ସାହୁକୁ ଥାନାକୁ ନେଇ ଜେରା କରିଥିଲା। ସମ୍ପର୍କୀୟ ଭାଉଜ ବସୁମତୀଙ୍କ ସହ ଅନୈତିକ ସମ୍ପର୍କ ରଖିବାବେଳେ ବିଷ୍ଣୁପ୍ରିୟା ଦେଖିଥିବାରୁ ତାକୁ ମାରି ପୋତି ଦିଆଯାଇଥିବା ଅଭିଯୁକ୍ତ ଦୀପକ ମାନିଥିଲା। ଘଟଣାର ୩ ଦିନ ପରେ ପୁଲିସ ନାବାଳିକାର ମୃତଦେହକୁ ପୋତା ଯାଇଥିବା ସ୍ଥାନରୁ ଉଦ୍ଧାର କରିଥିଲା। ଉଭୟ ଦୀପକ ଓ ବସୁମତୀ ଏବେ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର