ଚୀନ ସେନା ହାଜତରେ ଅଛନ୍ତି ଅରୁଣାଚଳ ପ୍ରଦେଶର ୫ ନିଖୋଜ ଯୁବକ, ଭାରତକୁ ଫେରାଇଦେବାକୁ ରାଜି
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ୫ ଜଣ ଯୁବକ ଚୀନ ସେନା କବଳରେ ଥିବା ସ୍ପଷ୍ଟ ହୋଇଯାଇଛି । ଏହି ପ୍ରସଙ୍ଗରେ ଭାରତୀୟ ସେନା ପକ୍ଷରୁ ପ୍ରେରଣ କରାଯାଇଥିବା ହଟଲାଇନ ଯୋଗାଯୋଗର ଉତ୍ତର ଦେଇ ଚୀନ ସେନା ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଉକ୍ତ ଯୁବକମାନେ ସେମାନଙ୍କ ପାଖରେ ଅଛନ୍ତି ।
ଚୀନ ସେନାର ଏହି ଘୋଷଣା ସଂପର୍କରେ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନିଖେଜ ଥିବା ଅରୁଣାଚଳପ୍ରଦେଶର ୫ ଯୁବକ ସୀମା ସେପଟେ ମିଳିଥିବା ଚୀନ ସେନା ସ୍ୱୀକାର କରିଛି । ଏହାସହିତ ସେମାନଙ୍କୁ ଭାରତକୁ ଫେରାଇଦେବାକୁ ଚୀନ ସେନା ରାଜି ହୋଇଥିବା ଜଣାଯାଇଛି । ସେମାନଙ୍କୁ ଫେରାଇ ଆଣିବାକୁ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।
China’s PLA has responded to the hotline message sent by Indian Army. They have confirmed that the missing youths from Arunachal Pradesh have been found by their side. Further modalities to handover the persons to our authority is being worked out.
— Kiren Rijiju (@KirenRijiju) September 8, 2020
ନିଖୋଜ ୫ ଜଣ ଯୁବକ ଅରୁଣାଚଳର ଉପର ସୁବନସିରି ଜିଲ୍ଲାର ନାଚୋ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ କୁଲି କାମ ଓ ବେଳେବେଳେ ଭାରତୀୟ ସେନା ପାଇଁ ଗାଇଡ କାମ କରନ୍ତି ବୋଲି ଜଣାପଡ଼ିଛି ।
ସେମାନେ ଗତ ଶୁକ୍ରବାରଦିନ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ । ସେମାନଙ୍କ ଦଳରେ ମୋଟ ୭ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଘରକୁ ଫେରିଆସିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ନାଚୋ ଅଞ୍ଚଳଟି ଭାରତ ଓ ଚୀନ ମଧ୍ୟରେ ଥିବା ମାକମୋହନ ଲାଇନ ନିକଟରେ ଅବସ୍ଥିତ ।