ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଫିନ୍‌ଟେକ୍ କମ୍ପାନୀ ପେଟିଏମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଚୀନର ଆଣ୍ଟ ଗ୍ରୁପ ପେଟିଏମରେ ଥିବା ଏହାର ଅଂଶଧନ ବିକ୍ରି କରିବାକୁ ଯାଉଛି। ଚୀନ୍‌ର ଆଣ୍ଟ ଗ୍ରୁପ୍‌ ପେଟିଏମର ପ୍ରମୁଖ ଅଂଶଧନକାରୀମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ, ରଏଟର୍ସର ଖବର ଅନୁଯାୟୀ, ଅଗଷ୍ଟ ୫ ତାରିଖରେ ଏକ ବ୍ଲଗ୍‌ ଡିଲ୍ ମାଧ୍ୟମରେ, ଚୀନ୍‌ର ଆଣ୍ଟ ଗ୍ରୁପ୍‌ ଏହାର ସମ୍ପୂର୍ଣ୍ଣ ୫.୮୪ ପ୍ରତିଶତ ଅଂଶଧନକୁ ୩୮୦୩ କୋଟି ଟଙ୍କା ଅର୍ଥାତ୍ ୩୮ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ପ୍ରସ୍ତୁତ ହୋଇଛି।

Advertisment

ଏହା ଉଲ୍ଲେଖନୀୟ ଯେ ଆଣ୍ଟ ଗ୍ରୁପ୍‌ ହେଉଛି ଚୀନ୍‌ର ଆଲିବାବା ଗ୍ରୁପ୍‌ର ଏକ ସହାୟକ କମ୍ପାନୀ। ଏହା ପୂର୍ବରୁ ଆଣ୍ଟ ଫାଇନାନ୍ସ ନାମରେ ମଧ୍ୟ ଜଣାଶୁଣା ଥିଲା। ଗତ ଦୁଇ ବର୍ଷ ମଧ୍ୟରେ, ଅନେକ ବଡ଼ ନିବେଶକ ପେଟିଏମରେ ସେମାନଙ୍କର ଅଂଶଧନ ବିକ୍ରି କରିଛନ୍ତି, ଯେଉଁଥିରେ ଜାପାନର ସଫ୍ଟ ବ୍ୟାଙ୍କ ସହ ୱାରେନ୍‌ ବଫେଟ୍‌ଙ୍କ କମ୍ପାନୀ ଵର୍କସାୟାର ହାଥବୟ ଅନ୍ତର୍ଭୁକ୍ତ। ତଥାପି, ଏ ସମ୍ପର୍କରେ ଆଣ୍ଟ ଗ୍ରୁପ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ଆଣ୍ଟ ଗ୍ରୁପ ଗତ ଦୁଇ ବର୍ଷ ଧରି ପେଟିଏମରେ କ୍ରମାଗତ ଭାବରେ ଏହାର ଅଂଶଧନ ହ୍ରାସ କରୁଥିଲା। ପୂର୍ବରୁ, ଆଣ୍ଟ ଗ୍ରୁପ୍ ମଇ ୨୦୨୩ରେ ଏହାର ୪ ପ୍ରତିଶତ ଅଂଶଧନ ଏବଂ ତା'ପରେ ଅଗଷ୍ଟ ୨୦୨୩ରେ ୧୦.୩ ପ୍ରତିଶତ ଅଂଶଧନ ବିକ୍ରି କରିଥିଲା।