ଢାକା:  ବାଂଲାଦେଶରେ ଶେଖ ହସିନା ସରକାରର ପତନ ପରେ ବର୍ତ୍ତମାନ ଚୀନ୍ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି। ବାଂଲାଦେଶରେ ଚୀନ୍ ଭାରତ ବିରୋଧୀ ସଂଗଠନକୁ ଭେଟିଛି ବୋଲି ଖବର ରହିଛି। ବାଂଲାଦେଶର ନୂତନ ସରକାର ଏବଂ ଇସଲାମିକ ଦଳ ସହ ଚୀନ୍ ନିଜର ବନ୍ଧୁତା ବୃଦ୍ଧି କରୁଛି, ଯାହା ଭାରତ ପାଇଁ ଖରାପ ଖବର। ସୋମବାର ଦିନ ଚାଇନାର ରାଷ୍ଟ୍ରଦୂତ ୟୋ ୱେନ ଢାକାରେ ଜମାତ-ଏ-ଇସଲାମି ବାଂଲାଦେଶ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ମଧ୍ୟ ଦଳର ପ୍ରଶଂସା କରିଥିଲେ।

Advertisment

ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ଯେ ଜମାତ୍-ଏ-ଇସଲାମି ଏକ ସୁ-ସଂଗଠିତ ଦଳ। ଆପଣଙ୍କୁ କହିରଖୁଛୁ ଯେ ଜମାତ-ଏ-ଇସଲାମି ବାଂଲାଦେଶରେ ଭାରତକୁ ବିରୋଧ କରୁଛି, ଏହାକୁ ଶେଖ ହସିନା ସରକାର ନିଷିଦ୍ଧ କରିଥିଲେ, କିନ୍ତୁ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଶେଖ ହସିନାଙ୍କ ସରକାର ସମୟରେ ମଧ୍ୟ ଚୀନ୍ ଭାରତ ବିରୋଧରେ ଷଡଯନ୍ତ୍ର କରିଥିଲା। ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍ ସହିତ ଚୀନ୍ ମଧ୍ୟ ଗଭୀର ସମ୍ପର୍କ ସ୍ଥାପନ କରିଥିଲା।

 ବର୍ତ୍ତମାନ ଚୀନ୍ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଜମାତ୍-ଏ-ଇସଲାମି ଭଳି ସଂଗଠନ ସହ ବନ୍ଧୁତା ସ୍ଥାପନ କରୁଛି। ଏହି ପୂରା ଘଟଣା ଭାରତ ପାଇଁ ଚିନ୍ତାର ବିଷୟ, କାରଣ ବାଂଲାଦେଶରେ ଭାରତର ପ୍ରଭାବ ଯୋଗୁଁ ଜମାତ-ଏ-ଇସଲାମି ଦଳ ମଧ୍ୟ ଖପ୍ପା ଅଛି | ଯଦି ଚୀନ୍‌ର ସମର୍ଥନରେ ଏହି ଦଳ କ୍ଷମତାକୁ ଆସେ, ତେବେ ବାଂଲାଦେଶରେ ଏକ ସରକାର ଗଠନ ହେବ ଯାହା ଆତଙ୍କବାଦ, ସୀମା ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ପ୍ରସଙ୍ଗରେ ଭାରତ ବିରୋଧରେ ହେବ।

ନୂତନ ସରକାରରେ ଚୀନ୍ ବାଂଲାଦେଶରେ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରିପାରିବ ଯାହା ଦ୍ୱାରା ଭାରତର ପ୍ରଭାବ ହ୍ରାସ ହୋଇପାରିବ। ଅନ୍ୟପଟେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ୍ ହୁସେନ୍ କହିଛନ୍ତି ଯେ ଯଦି ଜୁନ୍ ମାସରେ ଭାରତ ସହ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ଜାତୀୟ ସ୍ୱାର୍ଥ ସହ ମେଳ ଖାଉ ନାହିଁ, ତା’ହେଲେ ଏହାର ପୁନର୍ବିଚାର କରାଯିବ। ଜୁନ୍ ୨୨ରେ ଶେଖ ହସିନାଙ୍କ ଭାରତ ଗସ୍ତ ସମୟରେ ଏହି ସମସ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା |