ନୂଆଦିଲ୍ଲୀ: ରୁଷରୁ ତେଲ କିଣିବା ନେଇ ଚୀନ୍ ଉପରେ ଆମେରିକାର ଚାପ ମଧ୍ୟରେ, ଚୀନ୍ ଏହାର ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ବୈଧ ଏବଂ ଆଇନଗତ ଘୋଷଣା କରିଛି ଏବଂ ଯଦି ବେଜିଂର ସ୍ୱାର୍ଥ କ୍ଷତିଗ୍ରସ୍ତ ହୁଏ ତେବେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଆମେରିକାର ଏହି ନୀତି ଏକପାଖିଆ ଧମକ ଏବଂ ଆର୍ଥିକ ଚାପ ସୃଷ୍ଟି କରେ, ଯାହା ଅନ୍ତର୍ଜାତୀୟ ବାଣିଜ୍ୟ ନିୟମକୁ ଦୁର୍ବଳ କରୁଛି |
ଏହା ବିଶ୍ୱ ଶିଳ୍ପ ଏବଂ ଯୋଗାଣ ଶୃଙ୍ଖଳାର ସୁରକ୍ଷା ଏବଂ ସ୍ଥିରତାକୁ ବିପଦରେ ପକାଇଥାଏ। ଲିନ୍ କହିଛନ୍ତି ଯେ ରୁଷ ସମେତ ବିଶ୍ୱର ବିଭିନ୍ନ ଦେଶ ସହିତ ଚୀନ୍ର ସାଧାରଣ ବାଣିଜ୍ୟ ଏବଂ ଶକ୍ତି ସହଯୋଗ ସମ୍ପୂର୍ଣ୍ଣ ବୈଧ ଏବଂ ଆଇନଗତ। ଆମେରିକାର ଦାବିର ଜବାବରେ ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ରୁଷରୁ ତେଲ ନ କିଣିବାକୁ ଆଶ୍ୱାସନା ଦେଇଛନ୍ତି କି ନାହିଁ ତାହା ଏକ ପୃଥକ ପ୍ରସଙ୍ଗ, କିନ୍ତୁ ଚୀନ୍ ଏହାର ବାଣିଜ୍ୟ ଅଧିକାରରୁ ପଛକୁ ହଟିବ ନାହିଁ। ଉଲ୍ଲେଖ ଥାଉ କି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୂଆଦିଲ୍ଲୀ ରୁଷରୁ ତେଲ କିଣିବା ବନ୍ଦ କରିବ।
ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋକୁ ଏକାକୀ କରିବା ପାଇଁ ଏହା ଏକ "ବଡ଼ ପଦକ୍ଷେପ" ବୋଲି ସେ କହିଥିଲେ। ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ ଯେ "ମୁଁ ଖୁସି ନଥିଲି ଯେ ଭାରତ ରୁଷ୍ଠାରୁ ତେଲ କିଣୁଥିଲା। ହେଲେ ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ରୁଷରୁ ତେଲ କିଣିବେ ନାହିଁ। ଏହା ଏକ ବଡ଼ ପଦକ୍ଷେପ। ଏବେ ଆମେ ଚୀନଠାରୁ ମଧ୍ୟ ସମାନ କଥା ଚାହୁଁଛୁ।’’