ଭୁବନେଶ୍ୱର : ରାଜ୍ୟରେ ଚିଟ୍‌ଫଣ୍ଡ କମ୍ପାନୀମାନେ ଲୋକମାନଙ୍କୁ ଲୋଭନୀୟ ସ୍କିମ୍‌ର ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରି ରାତାରାତି ଫେରାର ହୋଇଯିବା ପରେ ସୃଷ୍ଟି ହୋଇଥିଲା ତୁମ୍ବିତୋଫାନ। ନିଜର କଷ୍ଟ ଅର୍ଜିତ ଧନକୁ ପାଇବା ପାଇଁ ସାରା ରାଜ୍ୟରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ କରାଯିବା ସହ ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହେବାକୁ ପଡିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିଟ୍‌ଫଣ୍ଡ କମିଶନ ଗଠନ କରିଥିଲେ। ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରି କମିଶନ ଦେଇଥିବା ରିପୋର୍ଟ ଆଧାରରେ ଏବେ ରାଜ୍ୟ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଇବା କାମ ଆରମ୍ଭ କରିବାକୁ ଯାଉଛି।

Advertisment

ଏ ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ତହସିଲଦାରମାନଙ୍କ ଜରିଆରେ ଟଙ୍କା ବାଣ୍ଟିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇ ଚିଠି ଲେଖାଯାଇଛି। ଚିଠିରେ ଚିଟଫଣ୍ଡ୍‌ କମିଶନ ଦେଇଥିବା ପ୍ରଥମ ଦୁଇଟି ରିପୋର୍ଟ ଆଧାରରେ ୧୦ ହଜାର ଟଙ୍କାରୁ କମ୍‌ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ଦିଆଯାଇଛି। ସେହି ଅନୁସାରେ ଜିଲ୍ଲାୱାରୀ ଟଙ୍କା ବଣ୍ଟାଯାଇଛି । କ୍ଷେତ୍ରୀୟ ସ୍ତରରେ ଗଢ଼ାଯାଇଥିବା ଯାଞ୍ଚ୍‌ କମିଟି ଏହାର ସରଜମିନ୍‌ ଯାଞ୍ଚ୍‌ କରି ହିତାଧକାରୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରନ୍ତୁ।

ଚିଠିରେ କୁହାଯାଇଛି- କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନଙ୍କୁ ର୍ନିଦ୍ଦିଷ୍ଟ ତାରିଖରେ ତହସିଲଦାରଙ୍କ ନିକଟରେ ଉପସ୍ଥିତ ହେବାକୁ କୁହାଯାଉ। ଜମାକାରୀମାନଙ୍କୁ ବିନା ଷ୍ଟାମ୍ପ୍‌ ଡ୍ୟୁଟିରେ କ୍ଷତିପୂର୍ତ୍ତି ଚୁକ୍ତିପତ୍ର ବା ଇଣ୍ଡେମିନିଟି ବଣ୍ଡ୍‌ରେ ସ୍ୱାକ୍ଷର କରିବାକୁ କୁହାଯାଉ। ଏଥିସହିତ ସେମାନଙ୍କୁ ସେମାନଙ୍କ ବ୍ୟାଙ୍କ୍‌ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ନକଲ ଦେବାକୁ କୁହାଯାଉ। ଯାହାଦ୍ୱାରା ସେମାନଙ୍କ ବ୍ୟାଙ୍କ୍‌ ଆକାଉଂଟକୁ ଇ-ଟ୍ରାନସଫର ଯୋଗେ ସିଧାସଳଖ ଟଙ୍କା ପଠାଯାଇପାରିବ।

publive-image

ଚିଟଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ପାଇଁ ଗଢ଼ାଯାଇଥିବା କମିଶନ୍‌ ଏପଯର୍ଯ୍ୟନ୍ତ ତାଙ୍କର ୪ଟି ପ୍ରାଥମିକ ରିପୋର୍ଟ ଦେଇସାରିଛନ୍ତି। କମିଶନଙ୍କ ରିପୋର୍ଟ ଆଧାରରେ ୧ ଲକ୍ଷ ୧୬ ହଜାର ୫୦୪ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି। କେବଳ ତହସିଲଦାରଙ୍କ ସ୍ତରରେ ପ୍ରକୃତ ହିତାଧିକାରୀ ଯାଞ୍ଚ୍‌ ପରେ ଟଙ୍କା ଦିଆଯିବ।