ନୂଆଦିଲ୍ଲୀ: ୨୦୨୩-୨୪ରେ ଦେଶରେ କ୍ରୋମାଇଟ ଉତ୍ପାଦନ ୩.୫୬ ନିୟୁତ ଟନ ରହିଥିବାବେଳେ ୨୦୨୨-୨୩ ତୁଳନାରେ ଉତ୍ପାଦନ ୮.୨୩ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷେ ଦେଶରେ କ୍ରୋମାଇଟ୍ର ସଂପୂର୍ଣ୍ଣ ଉତ୍ପାଦନ (୧୦୦ ପ୍ରତିଶତ) ଓଡ଼ିଶାରେ ହୋଇଥିବା କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରେ କୁହାଯାଇଛି। ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍, ଓଡ଼ିଶା ଖଣି ନିଗମ (ଓଏମ୍ସି) ଓ ଇଣ୍ଡିଆନ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲିମିଟେଡ୍ କ୍ରୋମାଇଟ୍ର ପ୍ରମୁଖ ଉତ୍ପାଦନକାରୀ ବୋଲି ସୂଚନା ଦିଆଯାଇଛି।
ସେହିଭଳି ରିପୋର୍ଟରେ ଓଡ଼ିଶା ଓ ଝାଡ଼ଖଣ୍ଡ ଦେଶର ପ୍ରମୁଖ ବକ୍ସାଇଟ୍ ଉତ୍ପାଦକ ରାଜ୍ୟ ବୋଲି କୁହାଯାଇଛି। ଦେଶରେ ୨୦୨୩-୨୪ରେ ମୋଟ ୨୧.୮୮ ନିୟୁତ ଟନ ବକ୍ସାଇଟ୍ ଉତ୍ପାଦନ ହୋଇଛି। ଅପରପକ୍ଷେ, ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ ବକ୍ସାଇଟ ଉତ୍ପାଦନ ୮.୨୩ ପ୍ରତିଶତ ହ୍ରାସ ହୋଇଛି।୨୦୨୩-୨୪ରେ ବକ୍ସାଇଟ୍ ଉତ୍ପାଦନରେ ନାଲ୍କୋ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଓଏମ୍ସି ଓ ହିଣ୍ଡାଲକୋ ଭଳି ଚାରିଟି କଂପାନିର ପ୍ରମୁଖ ଯୋଗଦାନ ରହିଛି। ଦେଶରେ ୨୦୨୩-୨୪ରେ ଲୁହାପଥର ଉତ୍ପାଦନ ୨୫୨.୨ ନିୟୁତ ଟନ୍ ହୋଇଥିବାବେଳେ ୨୦୨୨-୨୩ ତୁଳନାରେ ୨.୪ ପ୍ରତିଶତ ଉତ୍ପାଦନ ହ୍ରାସପାଇଛି। ଓଡ଼ିଶା, କର୍ଣ୍ଣାଟକ ଓ ଛତିଶଗଡ଼ ଦେଶରେ ପ୍ରମୁଖ ଲୁହାପଥର ଉତ୍ପାଦକ ରାଜ୍ୟ। ବର୍ଷ ୨୦୨୩-୨୪ରେ ଲୁହାପଥରର ପ୍ରମୁଖ ଉତ୍ପାଦନକାରୀ ତାଲିକାରେ ଏନ୍ଏମ୍ଡିସି, ସେଲ୍, ଓଏମ୍ସି ଓ ଟାଟା ଷ୍ଟିଲ ଲିମିଟେଡ ରହିଥିଲେ।
୨୦୨୩-୨୪ରେ ଦେଶରେ ମୋଟ ଖଣିଜ ଉତ୍ପାଦନର ୯୭.୫ ପ୍ରତିଶତ ଆଠଟି ରାଜ୍ୟରେ ସୀମିତ ଥିଲା। ଏଥିରୁ ସର୍ବାଧିକ ୪୬ ପ୍ରତିଶତ ଓଡିଶାରୁ ଉତ୍ପାଦିତ ହୋଇଛି। ଓଡ଼ିଶା ପରେ ଖଣିଜ ଉତ୍ପାଦନରେ ଛତିଶଗଡ଼ର ଯୋଗଦାନ ରହିଛି ୧୪ ପ୍ରତିଶତ।
ଦେଶରେ ସମୁଦାୟ ୩୨୨ଟି ରିପୋର୍ଟିଂ ମାଇନ୍ସରୁ ଓଡିଶାରେ ୧୨୨ଟି ରହିଛି। ସର୍ବାଧିକ ୧୬୨ଟି ଗୁଜରାଟ ଓ ୧୩୦ଟି କର୍ଣ୍ଣାଟକରେ ରହିଛି। ଓଡ଼ିଶାକୁ ଖଣିଜ ରୟାଲ୍ଟି ବାବଦରେ ୨୦୨୦-୨୧ରେ ୭୦୩୪.୬୧ କୋଟି ଟଙ୍କା,୨୦୨୧-୨୨ରେ ୧୭୯୫୯.୨୨ କୋଟି ଟଙ୍କା ଓ ୨୦୨୨-୨୩ରେ ୧୦୮୨୩.୧୨ କୋଟି ଟଙ୍କା ମିଳିଛି। ଓଡିଶା ସମେତ ୨୨ଟି ରାଜ୍ୟ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟସ୍ତରରେ ଟାସ୍କ ଫୋର୍ସର ଗଠନ,ଏମ୍ଏମ୍ଡିଆର୍ ଆଇନ ୧୯୫୭ର ଧାରା ୨୩(ସି) ଆଧାରରେ ନିୟମ ପ୍ରସ୍ତୁତ ତଥା ଆଇବିଏମ୍କୁ ବେଆଇନ ଖଣି ଖନନ ନେଇ ତ୍ରୟମାସିକ ରିପୋର୍ଟ ପ୍ରଦାନ କରୁଛନ୍ତି ବୋଲି ସୂଚନା ଦିଆଯାଇଛି।