ଚୀନର କରୋନା ମୃତ୍ୟୁସଂଖ୍ୟା କେତେ? ଜାଣିବାକୁ ଉଦ୍ୟମ ଚଳାଇଛି ଆମେରିକାର ସିଆଇଏ

ଓ୍ୱାସିଂଟନ : ସମଗ୍ର ବିଶ୍ୱରେ ଆତଙ୍କସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତିସ୍ଥଳ ଚୀନରେ ପ୍ରକୃତ କେତେ ଲୋକ ସଂକ୍ରମିତ ହୋଇଥିଲେ ଓ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ପ୍ରକୃତ ତଥ୍ୟ ମିଳିପାରିନାହିଁ । ଚୀନ ଯେଉଁ ତଥ୍ୟ ଦେଉଛି ତାହାକୁ ବିଶ୍ୱର ପ୍ରମୁଖ ଦେଶମାନେ ବିଶ୍ୱାସ କରୁନାହାନ୍ତି ।

ଚୀନର ପ୍ରକୃତ କରୋନା ଭାଇରସ ସଂପର୍କିତ ତଥ୍ୟ ଜାଣିବାକୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଉଦ୍ୟମ ଚଳାଇଛି । କାରଣ ଚୀନରୁ ପ୍ରକୃତ ତଥ୍ୟ ନମିଳିଲେ ଏହି ଭାଇରସକୁ ଚିହ୍ନିବା ସହଜ ହେବ ନାହିଁ । ଗତ ଫେବ୍ରୁଆରୀ ମାସରେ ମଧ୍ୟ ସିଆଇଏ ଆମେରିକା ସରକାରଙ୍କୁ ସୂଚାଇଦେଇଥିଲା ଯେ ଚୀନ କରୋନା ଭାଇରସ ଧ୍ୱଂସଲୀଳାର ପ୍ରକୃତ ତଥ୍ୟକୁ ପ୍ରକାଶ କରୁନାହିଁ । ଏହା ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଏଣୁ ସେହିଅନୁସାରେ ଆମେରିକା ସରକାର ପ୍ରସ୍ତୁତି କରିବା ଆବଶ୍ୟକ । କିନ୍ତୁ ଆମେରିକା ସରକାର ତାହାକୁ ଗୁରୁତ୍ୱ ଦେଇନଥିଲେ ।

ଚୀନରେ ଥିବା ନିଜ ଏଜେଣ୍ଟମାନଙ୍କ ମାଧ୍ୟମରେ ସିଆଇଏ ଆଉ ଏକ ସାଙ୍ଘାତିକ ସୂଚନା ପାଇଛି । ତାହା ହେଉଛି ଚୀନରେ ପ୍ରକୃତରେ କେତେ ଲୋକ ମରିଛନ୍ତି ତାହା ନିଜେ ଚୀନ ସରକାର ମଧ୍ୟ ଜାଣିନାହାନ୍ତି । କାରଣ ଚୀନର ବିଭିନ୍ନ ଅଞ୍ଚଳରେ ହୋଇଥିବା ମୃତ୍ୟୁ ସଂପର୍କରେ ସ୍ଥାନୀୟ ଅଧିକାରୀମାନେ ଚୀନ ସରକାରଙ୍କୁ ମଧ୍ୟ ପ୍ରକୃତ ତଥ୍ୟ ଦେଇନଥିବା ସଂଦେହ କରାଯାଉଛି । କାର୍ଯ୍ୟାନୁଷ୍ଠାନ ଭୟରେ ଚୀନର ନିମ୍ନ ଅଧିକାରୀମାନେ ଏପରି କରିଥିବା ସିଆଇଏ ଜାଣିବାକୁ ପାଇଛି ।

ସମ୍ବନ୍ଧିତ ଖବର