ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ, କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହଜାର ହଜାର ଲୋକଙ୍କ ସହ ଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଜାଗ୍ରତ କରୁଥିବା ଏହି ମହାନ ଭାରତୀୟ ପରମ୍ପରା ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି। ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଉଛୁ ।
ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡ଼ା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ। ଆମେ ଏକ ଶାନ୍ତିପୂର୍ଣ୍ଣ, ଏକତାପୂର୍ଣ୍ଣ ଏବଂ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ସମାଜ ଗଠନ କରିବା। ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆସନ୍ତୁ ନିଜ ପାଇଁ, ସମାଜ ପାଇଁ , ଆମ ଓଡ଼ିଶା ପାଇଁ ତଥା ଭାରତ ଓ ବିଶ୍ଵବାସୀଙ୍କ ପାଇଁ ସୁସ୍ଥତାକୁ ପ୍ରାଥମିକତା ଦେବା ନିମନ୍ତେ ଶପଥ ନେବା |
ଉଲ୍ଲେଖ ଥାଉ କି କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଯୋଗ ଦିବସରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫିଟ୍ ରହିବାର ମନ୍ତ୍ର ବାଣ୍ଟିଥିଲେ । ଆଉ କହିଛନ୍ତି, ଯୁବକମାନେ ହେଉଛନ୍ତି ପରିବର୍ତ୍ତନର ଆଲୋକ ବର୍ତ୍ତିକା । ପିଲାଠାରୁ ବୟସ୍କ ସଭିଏଁ ଯୋଗ କରିବା ଦରକାର । ଯୋଗ ଏକାଗ୍ରତା ଓ ସ୍ଥିରତା ଆଣିବା ସହ ମଣିଷକୁ ଚାପମୁକ୍ତ ରଖେ ।