ଇବ ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲାରେ କୋଇଲାଗୁଣ୍ଡ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି । ବାୟୁ, ଜଳ ଓ ମାଟି ପ୍ରଦୂଷଣ ହେବା ସହ ଏହା ବୃକ୍ଷଲତାଙ୍କ ଅଭିବୃଦ୍ଧିକୁ ନକରାତ୍ମକ ଭାବେ ପ୍ରଭାବିତ କରିବା ସହ ମାନବ, ପଶୁ, ପକ୍ଷୀ ଓ ଜଳଚରଜିବୀଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ଶହ ଶହ ସଂଖ୍ୟାରେ ବଡ଼ବଡ଼ ଗଛର ମଧ୍ୟ ଗତ କେଇ ବର୍ଷ ମଧ୍ୟ ଅକାଳ ମୃତ୍ୟୁ ହୋଇଛି । ଏକ ସଦ୍ୟତମ ଅଧ୍ୟୟନରେ ଇବ ଉପତ୍ୟକାରେ କୋଇଲା ଖନନ ଓ ପରିବହନ ଯୋଗୁଁ ଉଡୁଥିବା ଧୂଳିଗୁଣ୍ଡ ଓ କୋଇଲା ଗୁଣ୍ଡ ଯୋଗୁଁ ଅଞ୍ଚଳରେ ମଣିଷ ,ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିବା ବେଳେ ଇଂଲଣ୍ଡର ସାଉଥଏମ୍ପଟନ୍ ବିଶ୍ଵବିଦ୍ୟାଳୟ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି ) ରାଉରକେଲା ଦ୍ୱାରା କରାଯାଇଥିବା ଗବେଷଣାରୁ ସ୍ଥାନୀୟ ପ୍ରାକୃତିକ ପରିବେଶ ଉପରେ ନକରାତ୍ମକ ପ୍ରଭାବ ପଡୁଥିବା ସ୍ପଷ୍ଟ ହୋଇଛି । ଉକ୍ତ ଗବେଷଣାରେ ଗବେଷକମାନେ ଦର୍ଶାଇଛନ୍ତି ପତ୍ରର କୋଇଲା ଗୁଣ୍ଡର ଆସ୍ତରଣ ଯୋଗୁଁ ବୃକ୍ଷର ଉଷ୍ମେଦନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇ ବୃକ୍ଷର ଆଲୋକଶ୍ଳେଷଣ ପ୍ରକ୍ରିୟା ଓ କାର୍ବନ ଶୋଷଣ କ୍ଷମତା ହ୍ରାସ ପାଉଛି ।
ବୃକ୍ଷମାନଙ୍କ ୨୦ % ପ୍ରତିଶତ ଅଙ୍ଗାରକାମ୍ଳ କମ ଶୋଷଣ କରୁଛନ୍ତି । ଫଳରେ ଏହା ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି କରାଉଛି । ଯାହା ବିଶ୍ଵତାପାୟନ ବୃଦ୍ଧିର ଅନ୍ୟତମ କାରଣ ହୋଇଥିବା ବେଳେ ସ୍ଥାନୀୟ ସ୍ତରରେ ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ ସାଜିଛି । କୋଇଲାଗୁଣ୍ଡର ଅଞ୍ଚଳର ବୃକ୍ଷ , ଗୁଳ୍ମ ଓ ଲତା ଉପରେ ସୁଦର ପ୍ରସାରୀ କୁପ୍ରଭାବ ଥିବାରୁ ଏହା ଇବ ଉପତ୍ୟକା ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ବିପଦର କାରଣ ସାଜିଛି । ଇବ ଉପତ୍ୟକା ଓ ଝାରସୁଗୁଡ଼ା ଜିଲ୍ଲାର ପରିବେଶଗତ ବିପର୍ଯ୍ୟୟ ଦିଗରେ ଏହି କୋଇଲା ଖଣିରୁ ଓ କୋଇଲା ପରିବହନରୁ ଉଦ୍ବୃତ୍ତ ଧୂଳିଗୁଣ୍ଡ କାରକ ସାଜିଛି । ସବୁଜିମାର ଅକାଳ ମୃତ୍ୟୁ ଘଟୁଛି । ଝାରସୁଗୁଡ଼ା ସହର ଓ ଜିଲ୍ଲାବାସୀଙ୍କୁ ଆଗାମୀ ଦିନରେ ଉତ୍କଟ ପରିବେଷ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି । ଗବେଷକମାନେ ଇବ୍ ଉପତ୍ୟକାର ୩୦ଟି ସ୍ଥାନରୁ ୩୦୦ଟି କୋଇଲା ଗୁଣ୍ଡ ଆଚ୍ଛାଦିତ ପତ୍ର ସଂଗ୍ରହ କରିଥିଲେ l
ଲାବୋରଟୋରିରେ ଉକ୍ତ ପତ୍ରଗୁଡ଼ିକରେ ଜମା ହୋଇଥିବା ଗୁଣ୍ଡର ପରିମାଣର ମାପ କରିବା ସହ ଗୁଣ୍ଡ ସଫାକରି ପତ୍ର ଗୁଡ଼ିକ ଅଲଗା ଭାବେ ମାପ କରିଥିଲେ । ସେଥିରୁ ମିଳିଥିବା ତଥ୍ୟ ଉପଗ୍ରହ ଲେଣ୍ଡସେଟ୍-୯ , ଲେଣ୍ଟସେଟ୍ -୮, ସେଣ୍ଟିନାୟଲ-୨ ଉପଗ୍ରହରୁ ମିଳୁଥିବା ତଥ୍ୟ ବହୁଳ ଭାବରେ ମେଳ ଖାଉଥିଲା । କୋଇଲା ଗୁଣ୍ଡ ଓ ଧୂଳି ଗୁଣ୍ଡ ପତ୍ର ଦେହରେ ଥିବା କ୍ଷୁଦ୍ର ଛିନ୍ଦ୍ରଗୁଡ଼ିକ ବନ୍ଦ କରିଦେବାରୁ ଆଲୋକ ସଂଶ୍ଳେଷଣ ଓ ଖାଦ୍ୟ ପ୍ରକ୍ରିୟାକରଣ କରିବାରେ ବାଧା ସୃଷ୍ଟି ହୋଇଥାଏ l ଏହା କେବଳ ଉଦ୍ଭିଦ ବୃଦ୍ଧିକୁ ବାଧା ଦିଏ ନାହିଁ ବରଂ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶକୁ ସନ୍ତୁଳନକୁ ପ୍ରଭାବିତ କରେ | କୋଇଲା ଗୁଣ୍ଡ ଆସ୍ତରଣ ପ୍ରଭାବିତ ଅଞ୍ଚଳର ପ୍ରତି ବର୍ଗ ମିଟରରେ ବୃକ୍ଷମାନେ ଅଣପ୍ରଭାବିତ ଅଞ୍ଚଳର ବୃକ୍ଷ ଅପେକ୍ଷା ୨ ରୁ ୩ଗ୍ରାମ କମ କାର୍ବନ ଶୋଷଣ କରେ । ଯାହାକି ସ୍ଥାନୀୟ ପରିବେଶ ପାଇଁ ବେଶ କ୍ଷତିକାରକ ସାବ୍ୟସ୍ତ ହୁଏ l ଖଣି ଅଞ୍ଚଳର ୩୦ କି.ମି ପରିଧିରେ ସବୁଜିମା ପ୍ରଭାବିତ ହେବା ସହ କୋଇଲା ପରିବହନ ରାସ୍ତାରେ ଥିବା ସବୁଜିମା ପ୍ରଭାବିତ ହେଉଛି । କୋଇଲା ଗୁଣ୍ଡରେ ରହୁଥିବା ବିଭିନ୍ନ ପ୍ରକାର ଧାତୁ ବିଷାକ୍ତ ଆର୍ସେନିକ, ଲିଡ଼, ମରକ୍ୟୁରି, ଆଲୁମିନିୟମ ଓ ଲୌହ ଉପାଦାନ ସବୁଜିମା ଓ ମଣିଷ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ସମ୍ପର୍କରେ ଗବେଷକମାନେ ୨୦୨୪ ଅକ୍ଟୋବର ଜର୍ଣ୍ଣାଲ ଅଫ୍ ଜିଓଫିଜିକାଲ ରିସର୍ଚ୍ଚରେ ଗବେଷଣା ଲବ୍ଧ ତଥ୍ୟ ପ୍ରକାଶ କରିଛନ୍ତି I ସେମାନେ ଉକ୍ତ ନିବନ୍ଧରେ ତାପମାତ୍ରା ନିୟନ୍ତ୍ରଣ ଓ ଅଙ୍ଗାରକାମ୍ଳ ଶୋଷଣ କରିବାରେ ଉଦ୍ଭିଦ ଗୁଡ଼ିକର ଅକ୍ଷମତା ବିଶ୍ଵ ତାପମାତ୍ରା ବୃଦ୍ଧିକୁ ତ୍ୱରାନ୍ୱିତ କରେ | ଗବେଷକମାନେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣକୁ ଆକଳନ କରି ନିୟନ୍ତ୍ରଣ ପାଇଁ କୋଇଲାଖଣି ଅଞ୍ଚଳରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି l