ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଡ୍ରଗ୍ସ ବିରୋଧୀ ଅଭିଯାନରେ ପୁଣିଥରେ ବଡ଼ ସଫଳତା ହାସଲ କରିଛି। ପୁଲିସ ରମେଶ ନଗର ଅଞ୍ଚଳର ଏକ ଗୋଦାମରୁ ୨୦୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରିଛି। ଏହା ସହ ପ୍ରାୟ ୨୦୦ କିଲୋଗ୍ରାମ ଡ୍ରଗ୍ସ ପୁଲିସ ଜବତ କରିଛି। ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ପୁଲିସର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ସଫଳତା | ଗତ ସପ୍ତାହରେ ମହିପାଲପୁରରୁ ୫୬୦ କିଲୋଗ୍ରାମ କୋକେନ ଜବତ କରାଯାଇଥିଲା।

Advertisment

ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ଥିଲା। ୫୦୦୦ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ସିଣ୍ଡିକେଟ୍ ସହ ଜଡିତ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଅଖଲାଖ ଯିଏ ଉତ୍ତରପ୍ରଦେଶର ହାପୁରର ବାସିନ୍ଦା। ଅଖଲାଖଙ୍କୁ ପଚରାଉଚରା କରିବା ପରେ ସ୍ପେଶାଲ ସେଲ ଦିଲ୍ଲୀର ରମେଶ ନଗରଠାରେ ଚଢ଼ାଉ କରି ୨୦୦ କିଲୋଗ୍ରାମ କୋକେନ ଉଦ୍ଧାର କରିଥିଲା।

ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ସମଗ୍ର ସିଣ୍ଡିକେଟ୍ ସହିତ ଜଡିତ ସମସ୍ତ ଦିଗକୁ ଅନୁଧ୍ୟାନ କରୁଛି। ଯେଉଁ ବ୍ୟକ୍ତି ଏହି କୋକେନ ରଖିଥିଲେ ସେହି ବ୍ୟକ୍ତି ବ୍ରିଟେନର ନାଗରିକ ଥିଲେ ଏବଂ କୋକେନ ରଖି ଫେରାର ହୋଇଯାଇଥିଲେ। ଅଖଲାଖଙ୍କୁ ପଚରାଉଚରା କରିବା ପରେ ହିଁ ଏହି ବ୍ରିଟେନର ନାଗରିକଙ୍କ ବିଷୟରେ ପୁଲିସ ସୂଚନା ପାଇଥିଲା।

ଏହାପୂର୍ବରୁ ଅକ୍ଟୋବର ୨ ରେ ପୁଲିସ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଅଞ୍ଚଳର ଗୋଦାମରୁ ୫୬୦ କିଲୋଗ୍ରାମରୁ ଅଧିକ କୋକେନ ଏବଂ ୪୦ କିଲୋଗ୍ରାମ 'ହାଇଡ୍ରୋପୋନିକ ଗଞ୍ଜେଇ' ଜବତ କରିଥିଲା।