ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ମଙ୍ଗଳବାର ଜାତୀୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଏହି ଇସ୍ତାହାରରେ କେତେକ ଘୋଷଣା ହୋଇଛି। ଏଥି ମଧ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସରକାରୀ ଡାକ୍ତରଖାନାଗୁଡ଼ିକୁ ଅଧିକ ସକ୍ରିୟ କରାଯିବ ବୋଲି ଉଲ୍ଲେଖ ରହିଛି। ଏହାଛଡ଼ା ମନରେଗା ଯୋଜନା ୧୦୦ ଦିନ ପରିବର୍ତ୍ତେ ୧୫୦ ଦିନର ରୋଜଗାର ବ୍ୟବସ୍ଥା କରାଯିବ। ପ୍ରତିବର୍ଷ ନ୍ୟାୟ ଯୋଜନାରେ ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରାଯିବ। ୨୦୨୦ ମାର୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୨ ଲକ୍ଷ ପଦବୀ ପୂରଣ କରାଯିବ। ଜିଏସ୍‌ଟିକୁ ସରଳ କରାଯିବ। ଦେଶର ଗ୍ରାମ ପଞ୍ଚାୟତମାନଙ୍କରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ। ୩ ବର୍ଷ ଯାଏ ନୂଆ ବ୍ୟବସାୟୀମାନଙ୍କୁ କୌଣସି ପ୍ରକାରର ମଞ୍ଜୁରୀର ଆବଶ୍ୟକତା ପଡ଼ିବ ନାହିଁ। ଜିଡିପିର ୬ ପ୍ରତିଶତ ଅର୍ଥ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ। ଯୁବକ, ଯୁବତୀମାନଙ୍କୁ ନିଶ୍ଚିତ ରୋଜଗାରର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

Advertisment

ଅପରପକ୍ଷରେ କୌଣସି କୃଷକ ଋଣ ପରିଶୋଧ କରି ନପାରିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ ହେବ ନାହିଁ ବୋଲି ମଧ୍ୟ ଏହି ଇସ୍ତାହାରରେ ଦର୍ଶାଯାଇଛି। ଏହି ଇସ୍ତାହାରକୁ ‘ଜନ ଆବାଜ’ ନାମରେ ନାମିତ କରାଯାଇଛି। ଏହି ଇସ୍ତାହାର ଘୋଷଣା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ।