ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବି ବୁଥ୍‌ରେ ୱେବ କାଷ୍ଟିଙ୍ଗ କ୍ୟାମେରା ନ ଲାଗିବାରୁ ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଟିକିନିକି ତଦାରଖ କରବା ପାଇଁ ତଥା ବୁଥ୍‌ ରିଗିଂ ରୋକିବା ଏବଂ ପୋଲିଂ ଡ୍ୟୁଟିରେ ଥିବା ଅଧିକାରୀମାନଙ୍କର କାର୍ଯ୍ୟକୁ ଦେଖିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସମ୍ବେଦନଶୀଳ ବୁଥ୍‌ର ହିସାବକୁ ନେଇ ସର୍ବନିମ୍ନ ଦଶ ପ୍ରତିଶତ ବୁଥ୍‌ରେ ୱେବ କାଷ୍ଟିଙ୍ଗ କ୍ୟାମେରା ଲଗାଯିବାର ନିୟମ ରହିଛି। ଏ ନେଇ ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଗାଇଡଲାଇନ ଦିଆଯିବା ସହ କ୍ୟାମେରା ଲଗାଯିବା ଜନିତ ଖର୍ଚ୍ଚର ଅର୍ଥର ମଧ୍ୟ ବ୍ୟବସ୍ଥା ରହିଛି। ମାତ୍ର ଆଶ୍ଚର୍ଯ୍ୟର କଥା ବାଲେଶ୍ୱର ଜିଲ୍ଲାରେ ୧୦ ପ୍ରତିଶତ ତ ଦୂରର କଥା ଗୋଟିଏ ବି ପୋଲିଂ ବୁଥ୍‌ରେ େଓ୍ଵବ୍‌ କାଷ୍ଟିଙ୍ଗ କ୍ୟାମେରା ଲଗାଯାଇ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାଏକ ଗୁରୁତର ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଜିଲ୍ଲାପାଳଙ୍କ ଏତାଦୃଶ୍ୟ କାର୍ଯ୍ୟ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରୁଛି। ତାଙ୍କ ବିରୋଧରେ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ବିଧିବଧ ଭାବେ ଦାବି କରିଛି। ଏଥ ସହିତ କଂଗ୍ରେସର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସଂପର୍କିତ ଅଭିଯୋଗ ଜଣାଇଛନ୍ତି। ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସଂପର୍କରେ ଜିଲ୍ଲାପାଳଙ୍କ ବିରୋଧରେ କୌଣସି ଠୋସ୍‌ ପଦକ୍ଷେପ ନ ନିଅନ୍ତି ତେବେ କଂଗ୍ରେସ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଏ ସଂପର୍କରେ ଅବଗତ କରାଇବ।

ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ପିସିସି ମିଡିଆ ସେଲ୍‌ ସଂଯୋଜକ ନରେଶ ମହାନ୍ତି ଓ ଦିପକ ମହାପାତ୍ର୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର