ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏହି ପର୍ଯ୍ୟାୟରେ କଂଗ୍ରେସର ଅନେକ ପରିଚିତ ଓ ଚର୍ଚ୍ଚିତ ନେତାଙ୍କର ଭାଗ୍ୟ ପରୀକ୍ଷା ହୋଇଯାଇଛି । ଜନତାଙ୍କ ରାୟ ଇଭିଏମରେ ସାଇତା ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କର ଭାଗ୍ୟ ପରୀକ୍ଷା ସରିଛି। ସେ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ଚଳିତ ନିର୍ବାଚନରେ ଦୁଇଟି ସ୍ଥାନରୁ ଲଢ଼ିଛନ୍ତି ନିରଂଜନ। ସେ କେନ୍ଦୁଝର ଜିଲ୍ଲାର ଘଷିପୂରାରୁ ବିଜେଡି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଲଢ଼ୁଥିବା ବେଳେ ଭଣ୍ଡାରିପୋଖରୀରେ ଆଉ ଜଣେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଟକ୍କର ଦେଇଛନ୍ତି।

Advertisment

ଏତଦ୍‌ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଂଜୀବୀ ବିଶ୍ୱାଳଙ୍କ ଭାଗ୍ୟପରୀକ୍ଷା ବି ଶେଷ ହୋଇଛି। ସେ ଗତଥର ଭଳି ଏଥର ବି ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସର ବିଧାନସଭା ପ୍ରାର୍ଥୀ ହୋଇ ଭୋଟର ସାମ୍ନା କରିଛନ୍ତି। ଜଗତସିଂହପୁରରେ ତାଙ୍କର ଟକ୍କର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସହିତ ହେଉଛି।

publive-image Photo Credit: PTI

ଠିକ୍‌ ସେହିପରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ସିଲ ହୋଇଛି। ଏଥର କେନ୍ଦ୍ରାପଡ଼ା ସଂରକ୍ଷିତ ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଶ୍ରୀ ବେହେରା। ତାଙ୍କର ଟକ୍କର ବିଜେଡି ପ୍ରାର୍ଥୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହିତ ହୋଇଛି। ଉଭୟ ପ୍ରାର୍ଥୀ ପ୍ରଭାବଶାଳୀ ହୋଇଥିବା ବେଳେ ଭୋଟର କାହା ପ୍ରତି ସଦୟ ହୋଇଛନ୍ତି ତାହା ମେ ୨୩ରେ ସ୍ପଷ୍ଟ ହେବ।

ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀଙ୍କ ଭାଗ୍ୟ ପରୀକ୍ଷା ବି ଶେଷ ହୋଇଛି। ଏଥର ଭଦ୍ରକ ଲୋକସଭା ଅନ୍ତର୍ଗତ ସିମୁଳିଆ ବିଧାନସଭା ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଛନ୍ତି। ସେ ବିଜେଡି ପ୍ରାର୍ଥୀ ଜ୍ୟୋତି ପାଣିଗ୍ରାହୀ ଓ ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ କଡା ଟକ୍କର ଦେଇଛନ୍ତି।

ଠିକ୍‌ ସେହିପରି ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକଙ୍କର ବି ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ପ୍ରଥମ ଥର ଲାଗି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା ନବଜ୍ୟୋତିଙ୍କର ମୁକାବିଲା ଦୁଇ ଅଭିଜ୍ଞଙ୍କ ସହ ହୋଇଛି। ତାଙ୍କ ବିରୋଧରେ ଲଢ଼ୁଛନ୍ତି ବିଜେଡି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏବଂ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ।