ଭୁବନେଶ୍ୱର: ଏଥର ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ, ଦୁଇ ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ୍‌ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଆସନ ବୁଝାମଣା ହୋଇଛି। ସେହି ଅନୁସାରେ ଭୁବନେଶ୍ୱର ଲୋକସଭା ଆସନକୁ ସିପିଏମ୍‌ ର ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ଛାଡ଼ି ଦେଇଥିବା ବେଳେ ଆସ୍କା ଲୋକସଭା ଆସନଟି  ସିପିଆଇର ରାମକୃଷ୍ଣ ପଣ୍ଡାଙ୍କୁ ଛାଡ଼ିଦେଇଛି। ସେହିପରି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଲୋକସଭା ଆସନ ପାଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଅଞ୍ଜନୀ ସୋରେନ ମାରାଣ୍ଡି।
Advertisment
ଏତଦ୍‌ବ୍ୟତୀତ  ସିପିଆଇକୁ ତିନୋଟି, ସିପିଏମ୍‌କୁ ଗୋଟିଏ ଏବଂ  ଜେଏମ୍‌ଏମ୍‌କୁ ୫ଟି ବିଧାନସଭା ଆସନ ଛାଡି ଦିଆଯାଇଛି। ସିପିଆଇର ପ୍ରଦୀପ ସେଠୀ ଛତ୍ରପୁର, ଅବକାଶ ସାହୁ ବୌଦ୍ଧ ଏବଂ ରମେଶ ତ୍ରିପାଠୀ ବୌଦ୍ଧରୁ କଂଗ୍ରେସ ଓ ସହଯୋଗୀ  ଦଳଗୁଡ଼ିକରେ ମିଳିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ବୋଲି ଦଳର ସଂପାଦକ ଦିବାକର ନାୟକ ପ୍ରକାଶ କରିଛନ୍ତି।
ସେହିପରି ବଣାଇର ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମିଳିତ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ନୀଳଗିରିରୁ ଜଗଦାନନ୍ଦ ଦାସ, ରଣପୁରରୁ ନିତ୍ୟାନନ୍ଦ ପାଢୀ,ମୋରଡ଼ାରୁ  ଜିତେନ୍ଦ୍ର କୁମାର ଗୋସ୍ୱାମୀ ଏବଂ ପାଲଲହଡ଼ାରୁ  ମୀନା ପାଢୀ ଅନ୍ୟ ସହଯୋଗୀ ଦଳ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ଲଢୁଛନ୍ତି। ‘ଉଭୟ ବିଜେଡିି ଓ ବିଜେପିକୁ ହରାଇ  ଏକ ଧର୍ମ ନିରପେକ୍ଷବାଦୀ ସରକାର ଗଠନ ଆମର ଲକ୍ଷ୍ୟ’ ବୋଲି ସିପିଏମ୍‌ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ଜେଏମ୍‌ଏମ୍‌ର ରାଜ୍ୟ ସଭାପତି ମହେଶ ହେମ୍ବ୍ରେମ୍‌ କହିଛନ୍ତି ଯେ, ଦଳ ପକ୍ଷରୁ ମୟୁରଭଂଜ ଜିଲ୍ଲାର ୪ଟି ବିଧାନସଭା ଆସନ (ରାଇରଙ୍ଗପୁର, ସାରସକଣା,ବାଙ୍ଗିରୀପୋଷି ଏବଂ ମୋରଡ଼ା)ପାଇଁ ପ୍ରତିଦ୍ୱନ୍ଦିତା କରାଯିବ। ତେବେ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇ ନାହିଁ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ଆସନରୁ ଜେଏମ୍‌ଏମ୍‌ ପକ୍ଷରୁ ସେବିଆନ୍‌ ଆଇଣ୍ଡ୍‌ ପ୍ରତିଦ୍ୱନ୍ଦିତା କରୁଛନ୍ତି ବୋଲି ଶ୍ରୀ ହେମ୍ବ୍ରେମ କହିଛନ୍ତି।