ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିମନ୍ତେ ଆଜି ‘ଯୁବ ଇସ୍ତାହାର’ ଉନ୍ମୋଚନ କରି କଂଗ୍ରେସ ୨୦ ଲକ୍ଷ ଚାକିରି ଏବଂ ଖାଲି ପଡ଼ିଥିବା ୧.୫ ଲକ୍ଷ ଶିକ୍ଷକ ପଦବୀ ପୂରଣ ସହ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇଛି।
ଇସ୍ତାହାର ଉନ୍ମୋଚନ କରି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଲେ ଯେ, ରାଜ୍ୟରେ ତାଙ୍କ ଦଳ କ୍ଷମତାକୁ ଆସିଲେ ସେମାନେ ଯୁବବର୍ଗଙ୍କର ସମସ୍ୟା ସମାଧାନ ଲାଗି ଉଦ୍ୟମ କରିବେ। ରାଜ୍ୟରେ ପ୍ରତି ଘଣ୍ଟାରେ ୮୮୦ଜଣ ଯୁବକ ଚାକିରି ହରାଉଛନ୍ତି ବୋଲି ସେ ଦାବି କରିବା ସହ କହିଛନ୍ତି ଯେ, ୧୬ ଲକ୍ଷ ଯୁବକ କର୍ମସଂସ୍ଥାନ ହରାଇଛନ୍ତି।
ସେ କହିଛନ୍ତି, ଆମେ ବିଦ୍ବେଷ ବିସ୍ତାର କରୁନାହିଁ, ଜନତାଙ୍କୁ ଏକତ୍ର କରୁ। ଆମେ ନୂତନ ଉତ୍ତର ପ୍ରଦେଶ ଗଢ଼ିବାକୁ ଚାହୁଁ। ଯୁବବର୍ଗ ହେଉଛନ୍ତି ଆମର ଶକ୍ତି। ଉତ୍ତର ପ୍ରଦେଶ ଯୁବାଙ୍କର ନୂତନ ଦୂରଦୃଷ୍ଟି ଆବଶ୍ୟକ ଯାହା କେବଳ କଂଗ୍ରେସ ହିଁ ଦେଇପାରିବ।
/sambad/media/post_attachments/wp-content/uploads/2022/01/rp.jpg)
ଉତ୍ତର ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକା ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଲେ, ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଦେଖିଛୁ ଏବଂ ସେମାନଙ୍କ ସମସ୍ୟା କ’ଣ ଜାଣିଛୁ। ସବୁ ରାଜନୈତିକ ଦଳ ଖାଲି ଚାଲି ଆସୁଛନ୍ତି ଏବଂ ୨୫ ଲକ୍ଷ/୩୦ ଲକ୍ଷ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ, ତାହା କେମିତି କରିବେ, ସେକଥା ବୁଝାଇ କହୁନାହାନ୍ତି। ଏହି ଯୁବ ଇସ୍ତାହାରରେ କଂଗ୍ରେସ ତାହା ପ୍ରତିପାଦିତ କରିଛି।
ଆଜି ଉତ୍ତର ପ୍ରଦେଶର ଯୁବା ଚାକିରି ପାଇବା ପାଇଁ ଅଶେଷ ଅସୁବିଧାରେ ପଡୁଛି। ସେମାନେ ଶିକ୍ଷିତ ହୋଇ ବି ବେକାର। ସେମାନେ ଚାହୁଁଥିବା ଏବଂ ଆବଶ୍ୟକ କରୁଥିବା କର୍ମସଂସ୍ଥାନ ପାଇବାରେ ତାଙ୍କୁ ସାହାଯ୍ୟ କରିବା ଆମର ଉଦ୍ଦେଶ୍ୟ।
ଉତ୍ତର ପ୍ରଦେଶ ପାଇଁ ସେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି, ବୋଲି ସାମ୍ବାଦିକମାନେ ପଚାରିବାରୁ ପ୍ରିୟଙ୍କା କହିଲେ, ଆପଣମାନେ କଂଗ୍ରେସ ପାର୍ଟିରୁ ଆଉ କାହାକୁ ଦେଖୁଛନ୍ତି କି? ସବୁ ଜାଗାରେ ମୋତେ ହିଁ ଦେଖୁଛନ୍ତି।