ରାହୁଲ ନେଉଛନ୍ତି ରାଜନୈତିକ କ୍ୟାରିୟର୍‌ର ସବୁଠାରୁ ବଡ଼ ନିଷ୍ପତ୍ତି, ବଦଳିପାରେ କଂଗ୍ରେସର ଭବିଷ୍ୟତ!

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ଦେଶର ପାଞ୍ଚଟି ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଶକ୍ତ ଝଟ୍‌କା ଦେଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛିତିଶଗଡ଼ରେ କଂଗ୍ରେସ ବିଜୟ ଧ୍ୱନୀ ବଜାଇବା ପରେ ଦଳୀୟ ନେତାମାନଙ୍କ ଭିତରୁ କେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ଏ ନେଇ ଆଲୋଚନା ଜାରି ରହିଛି। ତେବେ, ଶାସନ କ୍ଷମତା କାହାକୁ ମିଳିବ ଏ ନିଷ୍ପତ୍ତି ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁଣ୍ଡ ଉପରେ। ଏହା ହେଉଛି ରାହୁଲଙ୍କ ରାଜନୀତି କ୍ୟାରିୟର୍‌ର ସବୁଠାରୁ ବଡ଼ ନିଷ୍ପତ୍ତି, ଯାହାକି କଂଗ୍ରେସର ଭବିଷ୍ୟତ ନିର୍ଦ୍ଧାରଣ କରିବ।

ରାହୁଲ ଦଳର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଦଳ ୩ଟି ରାଜ୍ୟରେ ଶାସନ କ୍ଷମତାକୁ ଫେରିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସଚିନ ପାୟଲଟ ଏବଂ ପାର୍ଟି ସଂଗଠନ ମହାସଚିବ ଆଶୋକ ଗହୋଲତ ରହିଛନ୍ତି। ସେହିପରି ମଧ୍ୟପ୍ରଦେଶର ପାର୍ଟି ପ୍ରଦେଶ ଅଧ୍ୟକ୍ଷ କମଲନାଥ ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ଭିତରେ କେହି ହେଲେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମାତ୍ର ଛତିଶଗଡ଼ରେ ଦୁଇ ନୁହେଁ, ତିନି ଜଣ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ମନାଯାଉଛି।

ରାଜସ୍ଥାନର ପାୟଲଟ ଏବଂ ଗହୋଲତ ଉଭୟ ରାହୁଲଙ୍କର ଘନିଷ୍ଠ ବୋଲି ଜଣାପଡ଼ିଛି। ଏଣୁ, ଦୁଇ ନେତାଙ୍କ ଭିତରୁ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ରାହୁଲଙ୍କ ପାଇଁ କଠିନ ବ୍ୟାପାର ହେଲେ ବି ଏହା କଂଗ୍ରେସର ଆଗାମୀ ଭବିଷ୍ୟତର ନିଷ୍ପତ୍ତି ହେବ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପାର୍ଥୀ କମଲନାଥ ଓ ଜ୍ୟୋତିରାଦିତ୍ୟଙ୍କ ମଧ୍ୟରୁ କେହି ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ରାହୁଲଙ୍କ ପାଇଁ କୌଣସି ଅଗ୍ନି ପରୀକ୍ଷାରୁ କମ୍‌ ନୁହେଁ। ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ହେବା ପରେ କମଲନାଥ ନିଜର ଲୋକପ୍ରିୟତା ବଢ଼ାଇବାରେ ବ୍ୟସ୍ତ ରହିଥିବା ବେଳେ ଜ୍ୟୋତିରାଦିତ୍ୟ ନିଜ ଅଞ୍ଚଳରେ ସର୍ବଦା ସର୍ବାଦ୍ଧିକ ଭୋଟ୍‌ରେ କଂଗ୍ରେସ ପାଇଁ ନିର୍ବାଚନ ଜିତିପାରେ ସଫଳ ରହିଛନ୍ତି।

ଛତିଶଗଡ଼ରେ କଂଗ୍ରେସକୁ ନିଶ୍ଚିତ ଭାବେ ବହୁମତ ମିଳିଛି ଏଥିରେ ସନ୍ଦେହ ନାହିଁ। କଂଗ୍ରେସ ଛତିଶଗଡ଼ରେ ୧୫ ବର୍ଷ ପରେ ଶାସନ କ୍ଷମତାକୁ ଫେରିଛି। ଦଳର ୩ ଜଣ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ୍‌। ଏମାନଙ୍କ ମଧ୍ୟରେ ଅଛନ୍ତି ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭୁବେଶ ବଘେଲ୍‌, ଟିଏସ୍‌ ସିଂହସେଓ ଏବଂ ଡ. ଚରଣାଦାସ ମହନ୍ତ। ତେବେ, ଏ ତିନିହେଁଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର