ଛତିଶଗଡ଼: ମଇଁଷି ପିଠିରେ ସ୍ଲୋଗାନ ଲେଖି ଭୋଟ ପ୍ରଚାର କରୁଥିଲେ କଂଗ୍ରେସପ୍ରାର୍ଥୀ, ନୋଟିସ ଜାରି କଲା ନିର୍ବାଚନ ଆୟୋଗ

ରାୟପୁର: ଦେଶରେ ଏବେ ନିର୍ବାଚନ ଚାଲିଛି । ବିଭିନ୍ନ ଦଳ ପ୍ରଚାରରେ ମାତିଛନ୍ତି । ପ୍ରଚାର ପାଇଁ ବିଭିନ୍ନ ପ୍ରକାରର ଅଭିନବ କୌଶଳ ଅବଲମ୍ବନ କରୁଛନ୍ତି । କିଏ ସୋସିଆଲ ମିଡିଆର ପ୍ରୟୋଗ କଲାଣି ତ କିଏ ରାସ୍ତାଘାଟରେ ହୋଡିଂ ମାରିଲାଣି । ପୁଣି ଆଉ କିଏ ଟିଭି-ରେଡିଓର ସାହାଯ୍ୟ ନେଲାଣି । କିନ୍ତୁ ଛତିଶଗଡ଼ର ରାୟପୁରରେ କଂଗ୍ରେସ ପକ୍ଷରୁ ଏକ ଅଭିନବ ଉପାୟରେ ପ୍ରଚାର କରାଯାଉଛି । ରାଜ୍ୟର କଓ୍ଵାର୍ଧା ଜିଲ୍ଲାରେ ଏକ ମଇଁଷିକୁ ବ୍ୟବହାର କରି କଂଗ୍ରେସ ପକ୍ଷରୁ ଭୋଟ ପ୍ରଚାର କରାଯାଉଛି । ମଇଁଷି ପିଠିରେ କଂଗ୍ରେସକୁ ଭୋଟ ଦେବା ପାଇଁ ନିବେଦନ କରାଯାଇଛି । ହିନ୍ଦୀଭାଷାରେ ଲେଖାଥିବା ସ୍ଲୋଗାନର ଓଡ଼ିଆ ଅନୁବାଦ ଏହିପରି ହେବ … “ଆମେ ନିର୍ବାକ ପଶୁମାନଙ୍କ କଥା ଶୁଣ, ଏଥର କଂଗ୍ରେସକୁ ଭୋଟ ଦେଇ ଶାସନକୁ ଆଣ” ।
ତେବେ ନିର୍ବାଚନ ଆୟୋଗ ଏହାକୁ ନେଇ ଦଳକୁ ନୋଟିସ ଜାରି କରିଛି । କାରଣ ନିୟମ ଅନୁସାରେ ଭୋଟ ପ୍ରଚାର ପାଇଁ କୌଣସି ପଶୁପକ୍ଷୀଙ୍କ ବ୍ୟବହାର କରିହେବ ନାହିଁ । ଏହାଛଡ଼ା ପଶୁଅଧିକାର ପାଇଁ ଲଢୁଥିବା ସଂସ୍ଥା ପେଟା ମଧ୍ୟ ଏହାକୁ ବିରୋଧ କରିଛି ।

ସମ୍ବନ୍ଧିତ ଖବର