ଭୁବନେଶ୍ବର : ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‌ କାଟ ଓ ଅହେତୁକ ବିଦ୍ୟୁତ୍‌ ବର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ରାଜ୍ୟ ଗ୍ରିଡ୍‌କୋ କାର୍ଯ୍ୟାଳୟ ଘେରାଉ କରିବ ରାଜ୍ୟ କଂଗ୍ରେସ। ପରେ ସବୁ ଜିଲ୍ଲାରେ ଆନ୍ଦୋଳନ କରାଯିବ। ବୁଧବାର ଦିନ କଂଗ୍ରେସ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ଦେଶରେ ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ହେଉଛି ପ୍ରଥମ। ଏହି ସଂସ୍କାର ପଛର ମୂଳ ଉଦ୍ଦେଶ୍ୟ ଥିଲା ରାଜ୍ୟର ଜନସାଧାରଣଙ୍କୁ ଗୁଣାତ୍ମକ ଓ ସ୍ୱଳ୍ପ ଦରରେ ବିଦ୍ୟୁତ ଯୋଗାଇବା। କିନ୍ତୁ ରାଜ୍ୟର ବିଦ୍ୟୁତ୍‌ ଦର ସବୁଠାରୁ ଅଧିକ। ରାଜ୍ୟ ସରକାର ବାରମ୍ବାର କହୁଛନ୍ତି ଯେ ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ। ଏହାସ‌ତ୍ତ୍ବେ ବି ରାଜ୍ୟରେ ୟୁନିଟ ପିଛା ବିଦ୍ୟୁତ୍‌ ଦର କାହିଁକି ଅଧିକ ? ଯେ ରାଜ୍ୟ ସରକାର ଗତ ୧୦ବର୍ଷରେ ବିଦ୍ୟୁତ୍‌ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଛନ୍ତି। ଏହି ୨୦ ହଜାର କୋଟିରୁ ୫ ହଜାର କୋଟି ଟଙ୍କା ଟାଟା ପାୱାରକୁ ଭିତ୍ତିଭୂମି ସଜାଡ଼ିବା ଓ ଉନ୍ନତିକରଣ କରିବା ପାଇଁ ଦିଆଯାଇଛି। ତାହାଲେ ବାକି ୧୫ ହଜାର କୋଟି ଟଙ୍କା କେଉଁ କେଉଁ କ୍ଷେତ୍ରରେ ଖର୍ଚ୍ଚ ହୋଇଛି, କେଉଁ ବର୍ଷରେ କେତେ ହୋଇଛି ତାହାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ। ଏହାସହ ପ୍ରତିମାସର ୫ ତାରିଖ ମଧ୍ୟରେ ଟାଟା ପାୱାର ବିଦ୍ୟୁତ ବିଲ୍‌ ପ୍ରଦାନ କରୁ। ଗାଁରେ ଗୋଟେ ଗୋଟେ ଦିନ ଧରି ବିଦ୍ୟୁତ୍‌ ରହୁ ନ ଥିବା ବେଳେ କିନ୍ତୁ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେଉନାହିଁ। ସଚିବ ଅଲଗା କଥା କହୁଛନ୍ତି। ଟାଟା ପାୱାର ପାଖରେ ଏ ସରକାର ସଂପୂର୍ଣ୍ଣ ବନ୍ଧା ପଡ଼ିଛି। ବିଦ୍ୟୁତ୍‌ ଦେୟ ରାଜ୍ୟରେ ୨୫୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଗତ ୯ ବର୍ଷ ଭିତରେ ଗ୍ୟାସ ଦାମ ୨୬୯% ବୃଦ୍ଧି ପାଇଛି। ଉଭୟ ବିଜେପି ଓ ବିଜେଡି ଦଳ ମିଶି ରାଜ୍ୟର ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଲୁଟ୍‌ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିଭାଗୀୟ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କହିଲେ ମନ୍ତ୍ରୀ ମହୋଦୟଙ୍କୁ ପାୱାର କଟ୍‌ର ପ୍ରକୃତ ସଂଜ୍ଞା ଜଣାନାହିଁ କି? ବିଭାଗୀୟ ମନ୍ତ୍ରୀଙ୍କର ମିଛ କହିବା ଓ ମିଛକୁ ବାରମ୍ବାର କହିବା ଏକ ଦକ୍ଷତା କି? ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଥିଲେ, ଏ ସରକାର କେବଳ ଭାଷଣ, କଷଣ ଓ ଶୋଷଣର ସରକାର। ୨୦୦୦ ମସିହା ପୂର୍ବରୁ ବିଦ୍ୟୁ୍‌ତ ରକ୍ଷଣାବେକ୍ଷଣ କ୍ଷେତ୍ରରେ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ଆଜି ତାହା ହଜାର କୋଟିକୁ ପହଞ୍ଚିଲାଣି। ରାଜ୍ୟ ସରକାର ରାଜଧାନୀ ଅଞ୍ଚଳରେ ବିଦ୍ୟୁତ୍‌ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୨ହଜାର କୋଟି ଟଙ୍କା ଟାଟା ପାୱାରକୁ ଦେଇଛନ୍ତି। ମାତ୍ର ସାମାନ୍ୟ ମେଘ ପବନରେ ରାଜଧାନୀରେ ୬-୮ ଘଣ୍ଟା ଅନ୍ଧାର ରହୁଛି ବୋଲି ସେ କହିଥିଲେ।