କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ ବି.କ୍ରିଷ୍ଣକୁମାର, କହିଲେ ସୋନିଆ ଗାନ୍ଧିଙ୍କର ଭାରତୀୟ ସଭ୍ୟତା ସଂପର୍କରେ କୌଣସି ଧାରଣା ନାହିଁ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ବି.କ୍ରିଷ୍ଣକୁମାର ବିଜେପିରେ ଯୋଗ ଦେଇଛନ୍ତି । ଗତ ୨ ଦିନ ମଧ୍ୟରେ କଂଗ୍ରେସ ଛାଡିବାରେ ସେ ହେଉଛନ୍ତି ୨ୟ ବରିଷ୍ଠ କଂଗ୍ରେସ ନେତା । ଗତକାଲି ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡି ଶିବସେନାରେ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେବା ପରେ ସେ ଗାନ୍ଧି ପରିବାର ବିରୋଧରେ ବିଷ ଓଗାଳିଛନ୍ତି । ସେ କହିଛନ୍ତି ଯେ ସୋନିଆ ଗାନ୍ଧିଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜ୍ଞାନ ନାହିଁ । ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତ୍‌ୃତ୍ୱକୁ ସେ ବିରୋଧ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ କର୍ମୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଅସମ୍ମାନ କରିଥିଲେ । କଂଗ୍ରେସ ଅଫିସକୁ ତାଙ୍କ ଚିତାଭସ୍ମ ମଧ୍ୟ ଅଣାଗଲା ନାହିଁ । କାରଣ ସୋନିଆ ଗାନ୍ଧିଙ୍କର ଭାରତୀୟ ସଭ୍ୟତା ଓ ସଂସୃତି ସଂପର୍କରେ କୌଣସି ଧାରଣା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ବିଜେପିରେ ରହି ନରେନ୍ଦ୍ର ମୋଦିଙ୍କ ଜଣେ ‘ସୈନିକ’ ଭାବେ କାମ କରିବେ । ଶ୍ରୀ କ୍ରିଷ୍ଣକୁମାର ପୂର୍ବରୁ ରାଜୀବ ଗାନ୍ଧି ଓ ନରସିଂହରାଓ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ବନ୍ଧିତ ଖବର