ମାଲେସିଆ : ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୭୯୦ ଲୋକଙ୍କୁ କରୋନା ସଂକ୍ରମଣ

କ୍ୱାଲାଲୁମ୍ପୁର : କରୋନା ଭାଇରସ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିଚାଲିଥିବାବେଳେ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକ ମଧ୍ୟ ଏହା ଦାଉରୁ ମୁକ୍ତିପାଇ ପାରିନାହାନ୍ତି । ତେବେ ମାଲେସିଆରେ ଏକ ନାଟକୀୟ ଘଟଣାକ୍ରମେ କରୋନା ଭାଇରସ ଦ୍ରୁତ ଗତିରେ ପ୍ରସାରିତ ହୋଇଚାଲିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଲେସିଆ ରାଜଧାନୀ କ୍ୱାଲାଲୁମ୍ପୁର ଉପକଣ୍ଠରେ ଗତ ଫେବ୍ରୁଆରି ମାସ ଶେଷ ସପ୍ତାହରେ ଏକ ଧାର୍ମିକ ସମ୍ମିଳନୀ ଯୋଗୁଁ କରୋନା ଭାଇରସ ଦେଶର ଶହ ଶହ ଲୋକଙ୍କୁ ବ୍ୟାପିବାରେ ଲାଗିଛି ।

ଏହି ଧାର୍ମିକ ସମ୍ମିଳନୀଟି କ୍ୱାଲାଲୁମ୍ପୁର ଉପକଣ୍ଠରେ ଥିବା ଶ୍ରି ପେଟାଲିଂ ମସଜିଦରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମାଲେସିଆର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ପ୍ରାୟ ୧୬ ହଜାର ଲୋକ ଯୋଗ ଦେଇଥିଲେ । ଚାରିି ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଏହି ଲୋକମାନେ ମସଜିଦ ପରିସରରେ ନିର୍ମିତ ଅସ୍ଥାୟୀ ଶିବିରରେ ରହୁଥିଲେ ଓ ଦିନବେଳେ ମସଜିଦରେ କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେଉଥିବା ପ୍ରାର୍ଥନା ସଭାରେ ଯୋଗ ଦେଉଥିଲେ । ଏହି ଶିବିରରୁ ହିଁ କରୋନା ସଂକ୍ରମଣ ଅଧିକାଂଶ ଲୋକଙ୍କୁ ବ୍ୟାପିଥିବା କୁହାଯାଉଛି । ମାଲେସିଆରେ ଏବେ କରୋନା ସଂକ୍ରମଣ ସଂଖ୍ୟା ୭୯୦ରେ ପହଞ୍ଚିଥିବାବେଳେ ଏହାର ପ୍ରାୟ ଦୁଇ-ତୃତୀୟାଂଶ ଲୋକଙ୍କୁ ଏହି ସମ୍ମିଳନୀରୁ ହିଁ ସଂକ୍ରମଣ ହୋଇଥିବା କୁହାଯାଉଛି । କେବଳ ଏତିକି ନୁହେଁ, ଏହି ସମ୍ମିଳନୀ ମାଧ୍ୟମରେ ବ୍ରୁନେଇ, ସିଂଗାପୁର, ଫିଲିପାଇନ୍ସ, କାମ୍ବୋଡିଆ, ଥାଇଲାଣ୍ଡ ଓ ଭିଏତନାମ ଆଦି ଦେଶକୁ କରୋନା ସଂକ୍ରମଣ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର