ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଟପିଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ

ନୂଆଦିଲ୍ଲୀ: ଗୁରୁବାର ସଂଧ୍ୟାସୁଦ୍ଧା ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୯ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୫୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଅନୁସାରେ ଭାରତରେ ଏପର୍ଯ୍ୟନ୍ତ ୧୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମୁମ୍ବାଇର ଧରାଓ୍ୱି ବସ୍ତିରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ସମଗ୍ର ଅଞ୍ଚଳକୁ ପୁଲିସ ସିଲ କରିଦେଇଛି ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬୨ ହଜାର ଓ ମୃତ୍ୟୁ ସଂଖ୍ୟା ୪୯୧୯୧ରେ ପହଞ୍ଚିଛି । ତେବେ ସୁଖର କଥା ହେଉଛି ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇସାରିଲେଣି । ଏହା ମାନବ ସମାଜ ପାଇଁ ଏକ ଆଶାର କିରଣ । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୬୩ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୫୧୩୨ ରେ ପହଞ୍ଚିଛି । ଇଟାଲୀ ଓ ସ୍ପେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଲେଖାଏଁ ରହିଛି । ଇଟାଲିରେ ମୃତ୍ୟୁସଂଖ୍ୟା ୧୩,୧୫୫ ରେ ପହଞ୍ଚିଛି । ସେହିପରି ସ୍ପେନରେ ମୃତ୍ୟୁସଂଖ୍ୟା ୧୦ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର