ଆମେରିକା, ଇଟାଲୀ ଓ ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୮୩୪

ନୂଆଦିଲ୍ଲୀ: ଭାରତରେ କ୍ରମଶଃ କାୟାବିସ୍ତାର କରୁଛି କରୋନା। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସର୍ବଶେଷ ସୂଚନା ଅନୁଯାୟୀ, ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୩୪ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଛି । ତେବେ ଶୁଭସୂଚନା ହେଉଛି ୧୪୩ ଜଣ ଆକ୍ରାନ୍ତ  ଆରୋଗ୍ୟ ଲାଭ କରିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି  । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ତାବଲିଗିି ଜମାତ ସମ୍ମିଳନୀରେ ଯୋଗଦେଇଥିବା ଲୋକମାନେ ସଂକ୍ରମିତ ହୋଇଥିବାରୁ ସାରା ଦେଶରେ ସଂକ୍ରମଣ ସଂଖ୍ୟା ବଢିଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨ ହଜାର ଓ ମୃତ୍ୟୁ ସଂଖ୍ୟା ୪୫,୩୦୯ରେ ପହଞ୍ଚିଛି । ବିଶ୍ୱର ୩ଟି ଦେଶ ଆମେରିକା, ଇଟାଲୀ ଓ ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଉପରେ ରହିଛି । ତେବେ ଏହି ଭାଇରସ ସଂକ୍ରମଣ କ୍ଷେତ୍ରରେ ଆମେରିକା ସମସ୍ତଙ୍କୁ ପଛରେ ପକାଇଦେଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୯ ହଜାର ୮୮୬ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୪୧୦୦ ରେ ପହଞ୍ଚିଛି । ଇଟାଲୀ ଓ ସ୍ପେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୧ଲକ୍ଷ ୫ ହଜାର ଓ ୧ ଲକ୍ଷ ୨ ହଜାର ରେ ପହଞ୍ଚିଛି । ଇଟାଲିରେ ମୃତ୍ୟୁସଂଖ୍ୟା ୧୨,୪୨୮ ରେ ପହଞ୍ଚିଛି । ସେହିପରି ସ୍ପେନରେ ମୃତ୍ୟୁସଂଖ୍ୟା ୯୦୫୩ ରେ ପହଞ୍ଚିଛି । ତେବେ ସୁଖର କଥା ହେଉଛି ବିଶ୍ୱରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୮୫ ହଜାର ୨୨୧ରେ ପହଞ୍ଚିଛି ।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମୁମ୍ବାଇର ଧରାଓ୍ୱି ବସ୍ତିରେ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ମାତ୍ର ବିଳମ୍ବିତ ରାତିରେ ଉକ୍ତ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର ସିଅନ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ସେ ପ୍ରାଣ ହରାଇଥିଲେ। ଏହା ଫଳରେ ସମଗ୍ର ଅଞ୍ଚଳକୁ ପୁଲିସ ସିଲ କରିଦେଇଛି ।

ସମ୍ବନ୍ଧିତ ଖବର