ନିଜାମୁଦ୍ଦିନର ଧାର୍ମିକ ସମାବେଶ‌ ବଢ଼ାଇଲା କରୋନା ଚିନ୍ତା! ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଜଣାପଡ଼ିବା ପରେ ଦେଶବ୍ୟାପି ହଇଚଇ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶ ଫଳରେ ଶହ ଶହ ଲୋକଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ଦୃଢୀଭୂତ ହେବା ପରେ ଗଣ ସମାରୋହ ହୋଇଥିବା ମସ୍‌ଜିଦ୍‌ଟିକୁ ସିଲ୍‌ କରି ଦିଆଯିବା ସହ ପ୍ରାୟ ୮୦୦ ଲୋକଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ଏହି ମସ୍‌ଜିଦ୍‌ରେ ଥିବା ଆହୁରି ୨୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡ଼ିବା ଦେଶବ୍ୟାପି ପରେ ହଇଚଇ ସୃଷ୍ଟି ହୋଇଛି। ସମାବେଶରେ ଯୋଗ ଦେଇଥିବା ଲୋକମାନଙ୍କୁ ଖୋଜି ବାହାର କରିବା ପାଇଁ ବିଭିନ୍ନ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

: ଏହି ଘଟଣା ଘଟିବା ପରେ ୪୪୧ ଜଣ ଲୋକଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

: ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି ଭାଇରସ୍‌ର ଗନ୍ତାଘର ଏହି ସାମାଜିକ ସମାବେଶ ଘଟଣାକୁ ଗୃହ ମନ୍ତ୍ରାଳୟ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି।

: ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲାଭ୍‌ ଅଗ୍ରୱାଲ୍‌ କହନ୍ତି, ‘ନିଜାମୁଦ୍ଦିନ ଅଞ୍ଚଳର ସମସ୍ୟାକୁୁ ନେଇ ଆମେ ପରସ୍ପର ଉପରେ ଦୋଷ ଲଦିବା ଅନୁଚିତ ଏହା ଭୁଲ୍‌ କାଢ଼ିବାର ସମୟ ନୁହେଁ।’

ଉଲ୍ଲେଖଯୋଗ୍ୟ, ନିଜାମୁଦ୍ଦିନ ଅଞ୍ଚଳର ଏକ ମସଜିଦରେ ହୋଇଥିବା ଏହି ସମାବେଶ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୩ ଶହ ଲୋକଙ୍କ ଶରୀରରେ ଏବେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଛି । ଏହି ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶରୁ ମଧ୍ୟ ଲୋକ ଯୋଗ ଦେଇଥିଲେ । ତାବଲିଘି ଜମାତ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶ ମାର୍ଚ୍ଚ ୧ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ସମାବେଶ ପାଇଁ ପୁଲିସର ଅନୁମତି ନିଆଯାଇ ନଥିଲା ।

 

 

ସମ୍ବନ୍ଧିତ ଖବର