ଆରମ୍ଭ ହେଲା କରୋନା ବିରୋଧରେ ବଡ଼ ଲଢ଼େଇ : ପୂରା ଦେଶ ତାଲାବନ୍ଦ; ୨୧ ଦିନ ଯାଏ ଜାରି ରହିବ କଟକଣା

ନୂଆଦିଲ୍ଲୀ: ଏବେ ଘଣ୍ଟାରେ ସମୟ ରାତି ୧୨ଟା। ଏଇ ମୁହୂର୍ତରୁ ପୂରା ଦେଶ ତାଲାବନ୍ଦ। କରୋନାକୁ ମୁକାବିଲା କରିବ ପୂରା ଦେଶ। ବିଶ୍ବ ମହାମାରୀ ସହ ଲଢ଼ିବ ଭାରତ। ଘରେ ପୂରାଇ ଦେବନାହିଁ କରୋନାକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶବାସୀଙ୍କୁ ହାତଯୋଡ଼ି ଅନୁରୋଧ କରିଛନ୍ତି। ଏହି ତାଲାବନ୍ଦକୁ କର୍ଫ୍ୟୁ ବିବେଚନା କରିବାକୁ ବାର୍ତ୍ତା ଦେଇଛନ୍ତି।

ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ସମଗ୍ର ଦେଶରେ ଆଗାମୀ ୩ ସପ୍ତାହ ଅର୍ଥାତ ୨୧ ଦିନ ପାଇଁ ସଂପୂର୍ଣ୍ଣ ‘ଲକ୍‌ଡାଉନ୍‌’ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଯେଉଁ ଘୋଷଣା କରିଥିଲେ ତାହା ବଳବତ୍ତର ହୋଇଛି।

ମଙ୍ଗଳବାର ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଶ୍ୱ ବ୍ୟାପି ମହାମାରୀର ରୂପ ଧାରଣ କରି ସମଗ୍ର ଦେଶ ପାଇଁ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ କେବଳ ମାତ୍ର ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେଥିପାଇଁ ସରକାରଙ୍କୁ ଏ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେବାକୁ ପଡ଼ିଲା।

ତିନି ସପ୍ତାହ ଅର୍ଥାତ ୨୧ ଦିନ ଧରି ଲକ୍ ଡାଉନ୍ ଜାରି ରହିବ ଏହି ଲକଡାଉନ୍। ଏହାକୁ ହାଲକା ଭାବରେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ମୋଦୀ କହିଛନ୍ତି, ଏହି ଲକ ଡାଉନକୁ ଗମ୍ଭୀରତାର ସହ ନେବାକୁ ହେବ। କାରଣ ବିଶ୍ବ ମହାମାରୀ କରୋନାକୁ ରୋକିବାକୁ ହେଲେ ଆମକୁ ଘରେ ରହିବାକୁ ପଡ଼ିବ। ଏହି ଲକଡାଉନକୁ ଏକ କର୍ଫ୍ୟୁ ବୋଲି ଭାବି ନିଅନ୍ତୁ। ଘର ବାହାରକୁ ବାହାରିବାକୁ ଭୁଲି ଯାଆନ୍ତୁ।

ଯଦି ଆପଣ ଏହା ପାଳନ ନ କରନ୍ତି ତେବେ ଏଥିଲାଗି କେବଳ ଆପଣଙ୍କୁ ନୁହେଁ, ଆପଣଙ୍କ ପରିବାରକୁ,ବରଂ ପୂରା ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆପଣଙ୍କ ଦାୟିତ୍ବହୀନତା ଲାଗି ଆପଣଙ୍କ ପିତାମାତା,ପିଲାଛୁଆ ଓ ପରିବାର ସଂକଟ ଭିତରକୁ ଠେଲି ହୋଇ ଯାଇପାରେ ବୋଲି ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ। .ସେ ଆହୁରି କହିଛନ୍ତି, କରୋନାକୁ ରୋକିବାର ଏକମାତ୍ର ଅସ୍ତ୍ର ଘରେ ନିଜକୁ ବନ୍ଦ କରି ରଖିବା। ଯଦି ଏହାକୁ ହାଲକା ଭାବେ ନିଅନ୍ତି ତେବେ ଏହି ଦାୟିତ୍ବହୀନତା ଲାଗି ପୂରା ଭାରତକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିବ ତାହା କଳନା କରିବା କଷ୍ଟକର।

ସମ୍ବନ୍ଧିତ ଖବର