ନୂଆଦିଲ୍ଲୀ: ଯଦି ସମ୍ଭାଳିପାରୁନ, ଏତେ କାହିଁକି ବାହା ହେଉଛ | କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏଭଳି ଭାଷାରେ ମହକିଲଙ୍କୁ ପ୍ରଶ୍ନ ପଚାରିଛନ୍ତି | କୋର୍ଟ କହିଛନ୍ତି ଯେ ଯଦି ଜଣେ ମୁସଲିମ ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ପ୍ରତିପାଳନ କରିବାରେ ଅସମର୍ଥ ହୁଅନ୍ତି, ତେବେ ତାଙ୍କର ଦ୍ୱିତୀୟ କିମ୍ବା ତୃତୀୟ ବିବାହ କରିବାର କୌଣସି ଅଧିକାର ନାହିଁ, ଏପରିକି ମୁସଲିମ ପର୍ଶନଲ ଲ ଅନୁଯାୟୀ ମଧ୍ୟ ବିବାହ କରିବାର ଅଧିକାର ନାହିଁ |
ଜଣେ ୩୯ ବର୍ଷୀୟ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରି ଏଭଳି ରାୟ ଦେଇଥିଲେ | ବାସ୍ତବରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କଠାରୁ ମାସିକ ୧୦୦୦୦ ଟଙ୍କା ଭତ୍ତା ପାଇବା ପାଇଁ ମାମଲା ଦାୟର କରିଥିଲେ। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କର ୪୬ ବର୍ଷୀୟ ଦୃଷ୍ଟିହୀନ ସ୍ୱାମୀ, ଯିଏ ଭିକ୍ଷା ମାଗି ଜୀବିକା ଅର୍ଜନ କରନ୍ତି, ତାଙ୍କୁ ଛାଡ଼ି ତାଙ୍କ ପ୍ରଥମ ସ୍ତ୍ରୀ ସହିତ ରହୁଛନ୍ତି ଏବଂ ବର୍ତ୍ତମାନ ତୃତୀୟ ବିବାହ କରିବାକୁ ଧମକ ଦେଉଛନ୍ତି। ଆବେଦନକାରୀ ପୂର୍ବରୁ ଏକ ପରିବାର ଅଦାଲତକୁ ଯାଇଥିଲେ, ଯାହା ତାଙ୍କ ଆବେଦନକୁ ଖାରଜ କରିଦେଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଭିକ୍ଷା ମାଗି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ।
କୋର୍ଟ କହିଛନ୍ତି ଯେ ଏହା ସତ୍ୟ ଯେ ପ୍ରତିପକ୍ଷ ମୁସଲିମ ସମ୍ପ୍ରଦାୟର ଏବଂ ସେମାନଙ୍କର ପାରମ୍ପରିକ ଆଇନର ସୁଯୋଗ ନେଉଛନ୍ତି, ଯାହା ସେମାନଙ୍କ ଅନୁଯାୟୀ, ତାଙ୍କୁ ଦୁଇ କିମ୍ବା ତିନିଥର ବିବାହ କରିବାକୁ ଅନୁମତି ଦିଏ। ଦ୍ୱିତୀୟ କିମ୍ବା ତୃତୀୟ ପତ୍ନୀଙ୍କୁ ପ୍ରତିପାଳନ କରିବାକୁ ଅସମର୍ଥ ବ୍ୟକ୍ତି ମୁସଲିମ ପର୍ଶନଲ ଲ ଅନୁଯାୟୀ ମଧ୍ୟ ପୁନଃବିବାହ କରିପାରିବେ ନାହିଁ।
କୋର୍ଟ କହିଛନ୍ତି, "ମୁସଲିମ ସମ୍ପ୍ରଦାୟରେ ଏପରି ବିବାହ କମ ଶିକ୍ଷା ଏବଂ ମୁସଲମାନଙ୍କ ପାରମ୍ପରିକ ଆଇନର ଜ୍ଞାନ ଅଭାବରୁ ହେଉଛି । କୌଣସି କୋର୍ଟ ଜଣେ ମୁସଲିମ ପୁରୁଷଙ୍କ ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ବିବାହକୁ ସ୍ୱୀକୃତି ଦେଇପାରିବେ ନାହିଁ ଯଦି ସେ ତାଙ୍କ ପତ୍ନୀମାନଙ୍କୁ ପ୍ରତିପାଳନ କରିବାକୁ ଅକ୍ଷମ ହୁଅନ୍ତି ଏବଂ ତାଙ୍କ ପତ୍ନୀମାନଙ୍କ ମଧ୍ୟରୁ ଜଣେ ଭରଣପୋଷଣ ପାଇଁ ଆବେଦନ ଦାଖଲ କରିଛନ୍ତି।"