ଶେରଗଡ଼: ଗତ ୨୨ ମାର୍ଚ୍ଚ ୨୦୨୨ ରାତିରେ ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ସାମାନ୍ୟ ବଚସାରୁ ପିତଳ ଛକରେ ଫାଷ୍ଟ ଫୁଡ ଦୋକାନ କରିଥିବା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ତିନି ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡଵ ସ୍ୱାଇଁ, ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ସ୍ୱାଇଁଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ଜଘନ୍ୟ ଭାବେ ହତ୍ୟା କରିବା ମାମଲାରେ ଆଜି ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରବୀର କୁମାର ଚୌଧୁରୀ ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଅମୀୟ ସ୍ୱାଇଁକୁ ୨୫ ବର୍ଷ ଏବଂ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ଅମୀୟର ଭାଇ ମିଲନ ସ୍ୱାଇଁ,  ବାହାନପତି ବେହେରା, ସନ୍ତୋଷ ସ୍ୱାଇଁ, ଚିତ୍ରସେନ ସେଠିଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି |

Advertisment

ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବା ଯୋଗୁଁ ବିଚାର ନିମନ୍ତେ ବ୍ରହ୍ମପୁର ସିଜେଏମଙ୍କ କୋର୍ଟକୁ ପଠାଯାଇଛି | ହିଞ୍ଜିଳି ଥାନା କେଶ ନଂ ୧୪୧/୨୨ ପ୍ରକାରେ ମାମଲା ରୁଜୁ ହୋଇ ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ତତକାଳୀନ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ୬ ଜଣଙ୍କୁ ଗିରଫ କରାଯାଇଥିଲା |

ପରେ ଆସିକା ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ସେସନ ଟ୍ରାଏଲ ୫୮/୨୨ ପ୍ରକାରେ ବିଚାର ଆରମ୍ଭ ହୋଇଥିଲା | ତଦନ୍ତକାରି ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ୨୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଏହି ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଭାବେ ମୁଖ୍ୟ ଅଭିଯୁକ୍ତ ଅମୀୟକୁ ୨୫ ବର୍ଷ ଅନ୍ୟମାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଲେଖା ଜରିମାନା ଦଣ୍ଡାଦେଶ ଦେଇଛନ୍ତି |