ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର (ମାର୍ଚ୍ଚ ୧୪, ୨୦୨୫) ଦିନ, ଅର୍ଥନୈତିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।
ପ୍ରକୃତରେ, ୩ ମାର୍ଚ୍ଚ, ୨୦୨୫ରେ, ୩୪ ବର୍ଷୀୟ ରଣ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇରୁ ୧୪ କିଲୋ ସୁନା ସହିତ ଗିରଫ କରାଯାଇଥିଲା। ଏହି ସୁନାର ଆନୁମାନିକ ମୂଲ୍ୟ ₹ ୧୨.୮୬ କୋଟି ବୋଲି କୁହାଯାଇଥିଲା। ତାଙ୍କ ସହିତ ଅନ୍ୟ ଜଣେ ଅଭିଯୁକ୍ତ ତରୁଣ କୋଣ୍ଡୁରୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ବୁଧବାର ଦିନ ହୋଇଥିବା କୋର୍ଟ ଶୁଣାଣିରେ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ରଣ୍ୟା ରାଓଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଡିଆରଆଇ ଯୁକ୍ତି ଦେଇଥିଲା ଯେ ରଣ୍ୟା ରାଓ ଏକ ବୃହତ ସୁନା ଚୋରା ଚାଲାଣ ନେଟୱାର୍କର ଅଂଶ ଥିଲେ।
ଜାମିନ ପ୍ରଦାନ କରିବା ଦ୍ୱାରା ତଦନ୍ତରେ ବାଧା ସୃଷ୍ଟି ହୋଇପାରେ। ସେ ପ୍ରମାଣ ସହିତ ହେରଫେର କରିପାରନ୍ତି କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି। ଉଲ୍ଲେଖ ଥାଉ କି କେମ୍ପେଗୌଡ଼ା ବିମାନବନ୍ଦରରୁ ୧୨.୮୬ କୋଟି ଟଙ୍କାର ସୁନା ଜବତ ହୋଇଥିବାବେଳେ ଏହାପରେ ରଣ୍ୟାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ଚଢ଼ଉ କରି ଡିଆରଆଇ ଅଧିକାରୀମାନେ ୨.୦୬ କୋଟି ଟଙ୍କାର ଗହଣା ଏବଂ ୨.୬୭ କୋଟି ନଗଦ ଟଙ୍କା ଜବତ କରିଥିଲେ। ରଣ୍ୟା ରାଓ ଏବେ କଷ୍ଟମ୍ସ ଆଇନ ୧୯୬୨ର ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ଗିରଫ ହୋଇଛନ୍ତି ।
ରଣ୍ୟା ବର୍ଷକରେ ୨୭ ଥର ଦୁବାଇ ଗସ୍ତ କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ ରାଓ ଏକ ସୁନା ଚୋରାଚାଲାଣ ନେଟ୍ୱର୍କର ଅଂଶ ଥିଲେ ଏବଂ ଦୁବାଇରୁ ବେଙ୍ଗାଲୁରୁକୁ ଚୋରାଚାଲାଣ ପାଇଁ ମୋଟା ଅଙ୍କର କମିସନ ନେଉଥିଲେ। ସୂଚନାନୁଯାୟୀ, ରାଓ ପ୍ରତି କିଲୋଗ୍ରାମ ସୁନା ପାଇଁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା କମିସନ ନେଉଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାତ୍ର ୧୫ ଦିନରେ ୪ ଥର ଦୁବାଇ ଯିବାରୁ ସେ ସନ୍ଦେହ ଘେରକୁ ଆସିଥିଲେ।