ଭୋପାଳ: ସୀମା ସୁରକ୍ଷା ବଳ(ବିଏସ୍ଏଫ୍‌) ଏକାଡେମିର ଜଣେ ଅଧିକାରୀଙ୍କ ନମୁନା ପରୀକ୍ଷା  ରିପୋର୍ଟରୁ କରୋନା ଭାଇରସ୍‌ ପଜିଟିଭ୍‌ ବାହାରିବା ପରେ ୫୦ ଜଣ ବିଏସ୍‌ଏଫ୍‌ କର୍ମୀଙ୍କୁ କ୍ବାରେଣ୍ଟାଇରନ୍‌ରେ ରଖାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିୟର୍‌ ଜିଲ୍ଲାସ୍ଥିତ ଟେକାନପୁର ସହରରେ ଏପରି ଘଟଣା ଘଟିଥିବା ସୂଚନା ରହିଛି। ଆଜି ସୁଦ୍ଧା ମଧ୍ୟପ୍ରଦେଶରେ ସମୁଦାୟ ୩୪ ଜଣ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଅଧିକାରୀ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଏକାଡେମିର ଦୁଇ ନିର୍ଦ୍ଦେଶକ ଆଡିସ୍‌ନାଲ୍‌ ଡିରେକ୍ଟର ଜେନେରାଲ୍‌(ଏଡିଜି), ଇନ୍‌ସ୍ପେକ୍ଟର ଜେନେରାଲ୍‌(ଆଇଜି) ଜରୁରୀ ବୈଠକ ଡକାଇଥିଲେ। ବିଏସ୍‌ଏଫ୍‌ କର୍ମଚାରୀଙ୍କ ପାଇଁ ଏକ କ୍ବାରାଣ୍ଟାଇନ୍‌ କେନ୍ଦ୍ର କରିବା ନେଇ ନିଷ୍ପତ୍ତି କରିବାକୁ ଏହି ବୈଠକ ଡକାଯାଇଥିଲା।

କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ୫୭ ବର୍ଷିୟ ବ୍ୟକ୍ତି ଜଣକ ଇଂଲଣ୍ଡରୁ ଫେରିବା ପରେ ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ଦେଖିବାକୁ ମିଳିଥିଲା। ସେ ତାଙ୍କ ପତ୍ନୀଙ୍କୁ ବି ସଂକ୍ରମିତ କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଧିକାରୀ ଜଣକ ବିଏସ୍‌ଏଫ୍‌ର ଅନ୍ୟ ଯବାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କାଳେ ଭାଇରସ୍‌ ବ୍ୟାପିଥିବ ବୋଲି ସନ୍ଦେହ କରାଯାଇ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି।