ପାକିସ୍ତାନ : ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମିତ ସଂଖ୍ୟା, ଛୁଇଁଲା ୧୩ ଶହ

ଇସଲାମାବାଦ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮୬ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୯ ଥିବାବେଳେ ୨୧ ଜଣ ଆରୋଗ୍ୟ ହୋଇଛନ୍ତି ।

ପାକିସ୍ତାନର ସିନ୍ଧ ପ୍ରଦେଶରେ ସବୁଠାରୁ ଅଧିକ ୪୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଂଜାବରେ ୪୧୯ ଜଣ ଚିହ୍ନଟ ହୋଇଛନ୍ତି । ପାକିସ୍ତାନରେ ଗତ ମାର୍ଚ୍ଚ ୧୫ରୁ ଆଜିସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧିପାଇଛି । ୧୫ ତାରିଖରେ ପାକିସ୍ତାନରେ ମାତ୍ର ୫୩ ଜଣ ସଂକ୍ରମିତ ଥିବାବେଳେ ଏବେ ତାହା ୧୨୮୬ରେ ପହଞ୍ଚିଛି । ପାକିସ୍ତାନରେ ଏହି ସଂକ୍ରମଣ ମୁଖ୍ୟତଃ ଇରାନରୁ ଫେରିଥିବା ଲୋକମାନଙ୍କ ମାଧ୍ୟମରେ ଆସିଥିବା କୁହାଯାଉଛି । ଇରାନରେ ଥିବା କେତେକ ଇସ୍ଲାମୀୟ ତୀର୍ଥସ୍ଥଳକୁ ଯାଇଥିବା ପାକିସ୍ତାନୀ ତୀର୍ଥଯାତ୍ରୀମାନଙ୍କୁ ଠିକଣା ସମୟରେ ପରୀକ୍ଷା କରିବାରେ ବିଳମ୍ବ ଯୋଗୁଁ ସଂକ୍ରମଣ ସାର ପାକିସ୍ତାନରେ ବ୍ୟାପିଯାଇଥିଲା ।

ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ସବୁଆଡୁ ସମାଲୋଚନା କରାଯାଉଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ସବୁ ସ୍କୁଲ,କଲେଜ ବନ୍ଦ କରିଦେଇଛନ୍ତି । ମସଜିଦ ଗୁଡ଼ିକ ଖୋଲା ରହିଥିଲେ ମଧ୍ୟ ଅଧିକ ଲୋକ ଜମା ହେବାକୁ ଦିଆଯାଉନାହିଁ । ଅନ୍ୟପକ୍ଷରେ ପାକିସ୍ତାନର ଖରାପ ଆଥିର୍କ ଅବସ୍ଥା ଯୋଗୁଁ ସେଠାକାର ସରକାର ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇପାରୁନାହାନ୍ତି । ଦେଶର ଏହି ଦୁର୍ଦ୍ଦିନରେ ସହାୟତା କରିବା ଇମ୍ରାନ ପ୍ରବାସୀ ପାକିସ୍ତାନୀମାନଙ୍କୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର