ରାଜ୍ୟରେ ୨୦୦ ଡେଇଁବ କରୋନା ମୃତ୍ୟୁ, ୨୪ ଘଣ୍ଟାରେ ୧୦ ମୃତ; ଗଞ୍ଜାମରେ ୧୦୦ ଟପିଲା

୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮୧ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚାଇ ଚାଲିଛି। ଗତ ୨୪ ଘଣ୍ଟାରେ ପୁଣି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୦ ଡେଇଁବା ନିଶ୍ଚିତ ହୋଇଗଲାଣି। ଆଜି ସୁଦ୍ଧା ସରକାରୀ ଭାବେ ୧୯୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ଏହା ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାର ୧୦୩ ଜଣ ଅଛନ୍ତି। ଖୋର୍ଦ୍ଧାରେ ଦ୍ବିତୀୟ ସର୍ବାଧିକ ୨୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪ଜଣ ମୃତକ ରହିଛନ୍ତି। ଯାହାଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଉଚ୍ଚ ରକ୍ତଚାପ ଓ ମଧୁମେହ ଥିବା ୫୭ବର୍ଷର ବ୍ୟକ୍ତିଙ୍କୁ ବାଦ୍ ଦେଲେ ୪୫ବର୍ଷ, ୫୭ବର୍ଷ ଓ ୯୪ବର୍ଷର ଜଣେ ବୃଦ୍ଧା ଭୂତାଣୁର ଶିକାର ହୋଇଛନ୍ତି। ସେହିପରି ଖୋର୍ଧା ଜିଲ୍ଲାରେ ୫୮ବର୍ଷର ଜଣେ ପୁରୁଷ ଓ ୬୦ବର୍ଷର ମହିଳା ଉଚ୍ଚ ରକ୍ତଚାପ, ମଧୁମେହରେ ପୀଡ଼ିତ ଥାଇ କରୋନାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ବରର ୭୮ବର୍ଷୀୟା ମହିଳାଙ୍କ ଉଚ୍ଚ ରକ୍ତଚାପ ଓ କାର୍ଡିଓ ମାଇଓପ୍ୟାଥି ଥିବା ବେଳେ ଯାଜପୁରର ୮୦ବର୍ଷର ବୃଦ୍ଧଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲାର ୭୩ବର୍ଷର ବ୍ୟକ୍ତି ମଧୁମେହ, ଉଚ୍ଚ ରକ୍ତଚାପ ବାଦ୍ ଏକାଧିକ ଜଟିଳ ରୋଗରେ ପୀଡ଼ିତ ଥିଲେ। ଯାଜପୁର ଜିଲ୍ଲାର ୮୦ବର୍ଷର ବୃଦ୍ଧ ଓ କଳାହାଣ୍ଡିର ୬୨ବର୍ଷର ବ୍ୟକ୍ତି ଯକ୍ଷ୍ମା ଓ ହେପାଟାଇଟିସ୍‌ରେ ପୀଡ଼ିତ ଥିବା ବେଳେ କରୋନାର ଶିକାର ହୋଇଛନ୍ତି। ରାଜ୍ୟର ୨୦ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇ ସାରିଲାଣି। ଏହାସହ ଗଜପତି ଜିଲ୍ଲାର ୬୫ବର୍ଷର ଜଣେ ମହିଳା କିଡ୍‌ନି ରୋଗରେ ପ୍ରାଣ ହରାଇଛନ୍ତି। ତେବେ ତାଙ୍କର ମୃତ୍ୟୁକୁ ସରକାରଙ୍କ ପକ୍ଷରୁ ଅଣ କରୋନା ମୃତ୍ୟୁ ବୋଲି ଦର୍ଶାଯାଇଛି। ରାଜ୍ୟରେ ଏହି ସଂଖ୍ୟା ୩୯ରେ ପହଞ୍ଚିଛି।

ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ଆଉ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୯୧୩ ହୋଇଛି। ଆଜି ଚିହ୍ନଟ ହୋଇଥିବା ନୂଆ ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ ଖୋର୍ଧାରୁ ୨୧୮, ରାୟଗଡ଼ାରୁ ୧୯୭, କଟକରୁ ୧୨୩, ଗଜପତିରୁ ୯୧, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ଯାଜପୁରରୁ ୫୭, ସମ୍ବଲପୁରରୁ ୫୧, କନ୍ଧମାଳରୁ ୪୪, ଭଦ୍ରକରୁ ୨୫, ମାଲକାନଗିରିରୁ ୨୪, କଳାହାଣ୍ଡିରୁ ୧୮, ଢେଙ୍କାନାଳ ଓ ଜଗତସିଂପୁରରୁ ୧୩ ଲେଖାଏ, ବାଲେଶ୍ବର ଓ କୋରାପୁଟରୁ ୧୨ ଲେଖାଏ, ଅନୁଗୁଳରୁ ୯, ନୟାଗଡ଼ରୁ ୮, ନୂଆପଡ଼ାରୁ ୭, ଝାରସୁଗୁଡ଼ା ଓ ସୋନପୁରରୁ ୬ ଲେଖାଏ, ବୌଦ୍ଧରୁ ୫, ଦେବଗଡ଼, କେନ୍ଦୁଝର ଓ ନବରଙ୍ଗପୁରରୁ ୨ ଲେଖାଏ ଏବଂ ମୟୂରଭଞ୍ଜରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ଭିତରେ ୬୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୨୧,୯୫୪ରେ ପହଞ୍ଚିଛି। କଟକ ଜିଲ୍ଲାରେ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ବାଦ୍ ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡ଼ାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡ଼ରୁ ୩୨, ନୟାଗଡ଼ରୁ ୩୦, ସୋନପୁରରୁ ୨୫, କନ୍ଧମାଳରୁ ୨୦, ଢେଙ୍କାନାଳ ଓ କେନ୍ଦୁଝରରୁ ୧୮ ଲେଖାଏ, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂହପୁର ଓ ଯାଜପୁରରୁ ୧୪ ଲେଖାଏ, ଦେବଗଡ଼ରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦ ଲେଖାଏ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୭ ଲେଖାଏ, ବଲାଙ୍ଗୀରରୁ ୬, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରିରୁ ୫ ଲେଖାଏ, କେନ୍ଦ୍ରାପଡ଼ାରୁ ୪ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର