କୋଭିଡ ସଂକ୍ରମିତ ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ : ୟୁନିସେଫ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଅଧିନସ୍ଥ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ପକ୍ଷରୁ ୟୁନିସେଫ ସହଯୋଗିତାରେ କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞମାନେ ଯୋଗ ଦେଇ ସ୍ତନ୍ୟପାନ, ତାହାର ଉପକାର ଏବଂ କୋଭିଡ-୧୯ ସମୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କର୍ମଶାଳାରେ ସ୍ୱାଗତ ଭାଷଣ ଦେଇ ଏମ୍ସ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡ. ଗୀତାଞ୍ଜଳୀ ବାଟମାନାବାନେ ସ୍ତନ୍ୟପାନ ସଂପର୍କିତ ବିଭିନ୍ନ ଭ୍ରାନ୍ତ ଧାରଣା, ସମସ୍ୟା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ସେ ମଧ୍ୟ ସ୍ତନ୍ୟପାନର ବିଭିନ୍ନ ବୈଷୟିକ ଦିଗ ଯଥା ପୋଷଣ ଗାଇଡଲାଇନ, ଶ୍ୱସନ ପରିମଳତା ଓ କୋଭିଡ-୧୯ ସମୟରେ ଶିଶୁକୁ ଠିକଭାବେ ଧାରଣ କରିବା ଆଦି ସମ୍ପର୍କରେ କହିଥିଲେ । ସେ ମଧ୍ୟ ଫିଲଡରେ କାମ କରୁଥିବା କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସେମାନେ ସମାଜ ଓ ମା ସହ ପ୍ରତ୍ୟକ୍ଷ ଯୋଗାଯୋଗରେ ଥିବାରୁ ସେମାନଙ୍କ ମତାମତକୁ ଆମେ ଗ୍ରହଣ କରିବା ଆବଶ୍ୟକ ।

ଏମ୍ସ ଭୁବନେଶ୍ୱରର ନବଜାତ ଚିକିତ୍ସା ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ପଂକଜ ମହାନ୍ତି କହିଥିଲେ ଯେ କରୋନା ମହାମାରୀ ସମୟରେ ମଧ୍ୟ ସ୍ତନ୍ୟପାନ ଶିଶୁପାଇଁ ବେଶ ନିରାପଦ, ତେବେ ସ୍ତନ୍ୟପାନ କରୁଥିବା ମା ମାସ୍କ ପିନ୍ଧିବା ସହ ଉପଯୁକ୍ତ ଭାବେ ସ୍ୱଚ୍ଚତା ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଜରୁରୀ । ଶିଶୁ ଠାରେ ଲକ୍ଷଣ ନଥିଲେ ବା ଆଇସିୟୁ ସେବା ଆବଶ୍ୟକ କରୁନଥିଲେ ତାହାକୁ ମା’ଠାରୁ ଅଲଗା କରାଯିବାର ଆବଶ୍ୟକତା ନାହିଁ । କରୋନା ପରି ସଂକ୍ରାମକ ରୋଗ ଦାଉରୁ ଶିଶୁକୁ ରକ୍ଷା କରିବାକୁ ହେଲେ ସ୍ତନ୍ୟପାନ ଜରୁରୀ କାରଣ ଏହା ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।

ଏହି ଅବସରରେ ଏମ୍ସର ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ମୁଖ୍ୟ ଡ. ସୋନୁ ଏଚ. ସୁବା କହିଥିଲେ ଯେ ସାରା ବିଶ୍ୱ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଶିଶୁ ଜନ୍ମ ଜାରି ରହିଛି, କାରଣ ଏହା ଜୀବନ ଚକ୍ରର ଏକ ଅଂଶ ଓ ସ୍ତନ୍ୟପାନ ବ୍ୟବସ୍ଥାର ଏକ ଅଂଗ । କରୋନା କିପରି ସମାଜର ବିଭିନ୍ନ ବର୍ଗର ନବଜାତ ଓ ଶିଶୁମାନଙ୍କ ସ୍ତନ୍ୟପାନ ଉପରେ ପ୍ରଭାବ ପକାଉଛି ତାହା ଉପରେ ସେ ଆଲୋକପାତ କରିଥିଲେ ।

କରୋନା ମହାମାରୀ ସମୟରେ ସ୍ତନ୍ୟପାନ ସଂପର୍କିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ/ୟୁନିସେଫ ଗାଇଡଲାଇନ ସଂପର୍କରେ ୟୁନିସେଫର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ମା କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିଦେବା ଜରୁରୀ । କିନ୍ତୁ ଏହା କରିବା ବେଳେ ମା ମାସ୍କ ପିନ୍ଧିବା ସହ ନିଜର ହାତ ସଫା ରଖିବା ଆବଶ୍ୟକ ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗର ସହକାରୀ ପ୍ରଫେସର ଡ.ସ୍ୱୟଂ ପ୍ରଜ୍ଞା ପରିଡ଼ା କହିଛନ୍ତି ଯେ କରୋନା ସମୟରେ ସ୍ତନ୍ୟପାନକୁ ନେଇ ଲୋକଙ୍କ ମଧ୍ୟରେ କେତେକ ଭ୍ରାନ୍ତଧାରଣା ରହିଛି, ଯେପରିକି ମା କରୋନା ସଂକ୍ରମିତ ଥିଲେ ସେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ ନୁହଁ । କିନ୍ତୁ ସତ ହେଉଛି, ତାହା ମାର ସଂକ୍ରମଣ ସ୍ଥିତି ଉପରେ ନିର୍ଭର କରେ ଓ ମା କ୍ଷୀର ଶିଶୁ ପାଇଁ ଏକ ଚିକିତ୍ସା ସଦୃଶ ହୋଇଥାଏ । ଆଉ କେତେକ ଭ୍ରାନ୍ତ ଧାରଣା ହେଉଛି ମାର କୋଲଷ୍ଟ୍ରମ ବା ଗାଢ ହଳଦିଆ କ୍ଷୀର ଶିଶୁକୁ ଦିଆଯିବା ଉଚିତ ନୁହେଁ । କିନ୍ତୁ ସତ ହେଉଛି ଏହା ଶିଶୁର ପ୍ରଥମ ଟିକା ଯାହାକି ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ଓ ଶିଶୁକୁ ଆବଶ୍ୟକ ଭିଟାମିନ ଦେଇଥାଏ ।

ସମ୍ବନ୍ଧିତ ଖବର