ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ସଂସଦୀୟ କମିଟିର ସୁପାରିଶକୁ ଏବେବି ବିଚାରକୁ ନିଆଯାଇ ନାହିଁ

ନୂଆଦିଲ୍ଲୀ (ନଇମ ଅଖତର) : ଦେଶରେ ବର୍ତ୍ତମାନ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ଯୋଗାଣକୁ ନେଇ ଦେଶରେ ଅନେକ ରାଜ୍ୟରେ ଅବ୍ୟବସ୍ଥା ତଥା ଦୁର୍ବଳ ପରିଚାଳନାକୁ ନେଇ ଶେଷରେ ସର୍ବୋଚ୍ଚ ନ୍ୟାୟ୍ୟାଳୟ ହସ୍ତକ୍ଷେପ କରି କିଛି ଗୁରୁତ୍ୱ ପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ଆଗାମୀ ଦିନ ମାନଙ୍କରେ କରୋନା ମହାମାରୀର ପରିଚାଳନାଗତ ତଥା ଅତ୍ୟାବଶ୍ୟକୀୟ ବ୍ୟବସ୍ଥାରେ କିଛିଟା ସୁଧାର ଦେବାର ଅନୁମାନ କରା ଯାଉଥିବା ବେଳେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ମଜବୁତ କରିବା ପାଇଁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଭଳି ଭାରତୀୟ ସ୍ୱାସ୍ଥ୍ୟ ସେବା (ଇଣ୍ଡିଆନ୍ ମେଡିକାଲ୍ ସର୍ଭିସେସ୍)ର ଗଠନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ କମିଟି ଦ୍ୱାରା ଗତ ମାର୍ଚ୍ଚ ୮ ତାରିଖରେ ପ୍ରଦାନ କରାଯାଇଥିବା ରିପୋର୍ଟରେ ସୁପାରିଶ କରାଯାଇଥିଲେ ସୁଦ୍ଧା ଏବେ ବି କମିଟିର ସୁପାରିଶ ସରକାରୀ ଫାଇଲରେ ଧୁଳି ଚାଟୁଛି। ଗୋଟିଏ ସମର୍ପିତ ସେବାର ଗଠନ କରାଗଲେ ଦେଶର ସ୍ୱାସ୍ଥ୍ୟ ସେବା କୁ ଉଚ୍ଚ କୋଟିର କରାଯାଇପାରିବ ବୋଲି ସଂସଦୀୟ କମିଟି ଦ୍ୱାରା ହୃଦବୋଧ କରାଯାଇଥିଲା।

ଗତ ବର୍ଷ ଜାନୁୟାରୀ ମାସରେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେଲା ଏବଂ ଏହାପରେ ମାର୍ଚ୍ଚ ମାସରୁ ଦେଶରେ ଲକ୍‌ଡାଉନ୍ ଲାଗୁ କରାଗଲା। ଲକ୍‌ଡାଉନ ଲାଗୁ ହେବାପରେ ଦେଶର ଦୁର୍ବଳ ସ୍ୱାସ୍ଥ୍ୟବସ୍ଥାର ଚିତ୍ର ଆସିବାକୁ ଲାଗିଲା ଏବଂ ଗୋଟିଏ ଧାରଣା ସୃଷ୍ଟି ହେଲା ମହାମାରୀକୁ ଲଢିବା ପାଇଁ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟବସ୍ଥା ବହୁତ କମ୍‌ ରହିଛି। ଅପରପକ୍ଷେ ତତ୍‌କାଳୀନ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଡଃ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏମ୍‌ପାୱାର୍ଡ ଗ୍ରୁପ୍‌-୪ କମିଟି

ଦ୍ୱାରା କୋଭିଡ୍ ଜନିତ ଗତିବିଧି ପାଇଁ ମାନବ ସମ୍ବଳର ଚିହ୍ନଟକୁ ନେଇ କୋଭିଡ୍ ୱାରିୟର ଡାଟାବେସ୍‌ର ସ୍ଥାପନ କରାଯାଇଥିଲା। ଡାଟା ବେସ୍‌ର ତଥ୍ୟ ଆଧାରରେ ରାଜ୍ୟମାନେ କରୋନା ମୁକାବିଲା ପାଇଁ ମାନବ ସମ୍ବଳ ଯୋଗାଡକୁ ନେଇ କିଛି ମାତ୍ରାରେ ତତ୍ପରତା ମଧ୍ୟ ପ୍ରକାଶ କରିଥିଲେ। ଲଢେଇରେ ଘରୋଇ କ୍ଷେତ୍ରର ସହଯୋଗରେ ମଧ୍ୟ କିଛି ସଫଳତା ହାସଲ ହୋଇପାରିଲା। ହେଲେ କରୋନାର ଦ୍ୱିତୀୟ ଲହରକୁ ଯାହା ଜଣାପଡୁଛି ପ୍ରଥମ ଅନୁଭବରୁ କୌଣସି ଶିକ୍ଷା ମିଳିପାରିନାହିଁ ତଥା ଦେଶର ସ୍ୱାସ୍ଥ୍ୟବସ୍ଥା ପ୍ରଥମରୁ ଆହୁରି ଦୁର୍ବଳ ହେଲା ବୋଲି ହୃଦ୍‌ବୋଧ ହେଉଛି। କାରଣ ଦ୍ୱିତୀୟ ଲହରରେ ମୃତକମାନଙ୍କ ସଂଖ୍ୟାରେ ଲଗାତାର ବୃଦ୍ଧି ହେବା।

ଗତବର୍ଷ ନଭେମ୍ବର ମାସରେ ରାଜ୍ୟସଭାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି ପ୍ରଫେସର ରାମ ଗୋପାଳ ଯାଦବଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ଚଳିତ ବର୍ଷ ମାର୍ଚ୍ଚ ୮ରେ ସଂସଦରେ ଉପସ୍ଥାପନ କରାଯାଇଥିଲା। ଏହି ରିପୋର୍ଟରେ କେନ୍ଦ୍ର ସରକାରଙ୍କ କରୋନା ସଂକ୍ରମଣର ମୁକାବିଲାକୁ ନେଇ ବିଭିନ୍ନ ପ୍ରୟାସ ସମ୍ପର୍କରେ ବିସ୍ତୁତରେ ବର୍ଣ୍ଣନା କରାଯାଇଥିଲା। ରିପୋର୍ଟରେ ଦେଶରେ ସ୍ୱାସ୍ଥ୍ୟ ସେବାରେ କମ୍ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରଶିକ୍ଷଣର ଅଭାବରୁ ଆରମ୍ଭ କରି ଅକ୍ସିଜେନ୍ ହସ୍‌ପିଟାଲ ଶର୍ଯ୍ୟାର ସଂଖ୍ୟା କମ୍‌ଥିବା ଭଳି ପ୍ରସଙ୍ଗଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା। ସମୁଦାୟ ୭ ଲକ୍ଷ ୧୪ ହଜାର ଶର୍ଯ୍ୟାର ସଂଖ୍ୟା ବହୁତ କମ୍ ବୋଲି କୁହାଯାଇଥିଲା। କମିଟି ଦ୍ୱାରା ଯେଉଁ ପ୍ରମୁଖ ସୁପାରିଶ କରାଯାଇଥିଲା ତାହା ହେଉଛି ଦେଶରେ ଇଣ୍ଡିଆନ୍ ମେଡିକାଲ ସର୍ଭିସେସ୍‌ର ଗଠନକୁ ନେଇ।

ଦେଶର ସ୍ୱାସ୍ଥ୍ୟ ସେବାର ଘୋର ଅଭାବ ଦେଶ ସ୍ୱାଧିନତା ଠାରୁ ରହିଆସିଛି। ଅନେକ ସ୍ୱାସ୍ଥ୍ୟ ସଂଗଠନମାନଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଇଣ୍ଡିଆନ୍ ମେଡିକାଲ ସର୍ଭିସ୍ ଗଠନର ପ୍ରସ୍ତାବ ଦେଇଛନ୍ତି। ତାମିଲନାଡୁ ଓ ଗୁଜରାଟରେ ହେଲ୍‌ଥ କ୍ୟାଡର ଉପଲବ୍ଧ ରହିଛନ୍ତି ଯେଉଁଠାରେ ସଙ୍କଟ ସମୟରେ ସାବଜନୀକ ସେବାରେ ସେମାନଙ୍କର ଉପଯୋଗ କରାଯାଉଛି। ଭାରତୀୟ ପ୍ରଶାସନିକ ସେବାର ଅଧିକାରୀମାନେ ରାଜ୍ୟର ପ୍ରଶାସନର ଦାୟିତ୍ୱରେ ରହିଥାନ୍ତି। ଦେଶର ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା ପାଇଁ ଇଣ୍ଡିଆନ୍ ମେଡିକଲ ସର୍ଭିସେସ୍ ଗଠନକୁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ ଉପରେ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ତତ୍ପରତା ପ୍ରକାଶ କରିନଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର