ଆପ୍ ତିଆରି ସୂଚନା ଯୋଗାଉଛନ୍ତି ଏନ୍ଆଇଟି ଛାତ୍ର
କୋଭିଡରେ ବାପା-ମା’ ଛେଉଣ୍ଡ ଶିଶୁଙ୍କ ତଥ୍ୟ ସଂଗ୍ରହ, ଥଇଥାନ କରିବାକୁ ଯୋଜନା
ରାଉରକେଲା: ସଂପ୍ରତି କରୋନା ମହାମାରୀ କବଳରେ ସାରା ଦେଶ। ଜୀବନ ବଞ୍ଚାଇବାକୁ ଲୋକେ ଏବେ ଅକ୍ସିଜେନ, ପ୍ଲାଜ୍ମା ଆଦି ସନ୍ଧାନରେ। ପ୍ରମୁଖ ଗଣମାଧ୍ୟମଠାରୁ ଆରମ୍ଭକରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ; ସବୁଠାରେ ଏବେ ଏହାର ଆବଶ୍ୟକତା ନେଇ ଆକୁଳ ନିବେଦନ ଶୁଣିବାକୁ ମିଳୁଛି। ବହୁ କ୍ଷେତ୍ରରେ ଲୋକେ ଏସବୁ ସେବା ଯୋଗାଉଥିବା ସଂସ୍ଥା, ସାମାଜିକ ସ୍ବେଚ୍ଛାସେବୀ ସଂଗଠନ ବିଷୟରେ ଜାଣିପାରୁନଥିବାରୁ ଏହି ଅତ୍ୟାବଶ୍ୟକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଏହି ସମସ୍ୟାର ସମାଧାନର ବାଟ ବାହାର କରିଛନ୍ତି ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର କିଛି ଛାତ୍ର। ଅନୁଷ୍ଠାନର ‘ବ୍ଲିସ୍ ଏନ୍ ବ୍ଲିସ୍’ କ୍ଲବର ସଭାପତି କୋନି ବିଦ୍ୟା ସାଗରଙ୍କ ନେତୃତ୍ବରେ ଏକ ୧୮ ଜଣିଆ ଦଳ ନୂଆ ଆପ୍ ‘ବ୍ରିଥ୍ ଇନ୍’ ସୃଷ୍ଟି କରି ସମାଧାନର ସୂତ୍ର ବାହାର କରିଛନ୍ତି। ମାତ୍ର ୩୨ ଦିନ ପୂର୍ବେ ଜନ୍ମ ନେଇଥିବା ଏହି ଆପ୍ର କାର୍ଯ୍ୟକାରୀତା ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ଚାରିଆଡ଼ୁ ପ୍ରଶଂସାର ଛୁଅ ଛୁଟିଛି।
ଏହି ଆପ୍ରେ କୋଭିଡ୍ ସଂକ୍ରାନ୍ତୀୟ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା, ବ୍ୟକ୍ତିବିଶେଷ, ଡାକ୍ତରଙ୍କ ବିଷୟରେ ସୂଚନା ରହିଛି। ଆପ୍ରେ ଅମ୍ଳଜାନ ସିଲିଣ୍ଡର ଯୋଗାଉଥିବା, ସିଲିଣ୍ଡର୍ରେ ଅମ୍ଳଜାନ ଭର୍ତ୍ତି କରୁଥିବା ସଂସ୍ଥା ବିଷୟରେ ସଂପୂର୍ଣ୍ଣ ତଥ୍ୟ ରହିଛି। ଏହାସହ ଉପାଦେୟ ପରାମର୍ଶ ଯୋଗାଉଥିବା ଡାକ୍ତରଙ୍କ ମଧ୍ୟ ସୂଚନା ରହିଛି। ଏଯାବତ୍ ଅମ୍ଳଜାନ ଯୋଗାଉଥିବା ପ୍ରାୟ ୪ ଶହ ଜଣଙ୍କ ଠିକଣା ଏହି ଆପ୍ରେ ଉପଲବ୍ଧ। କେବଳ ନିର୍ଦ୍ଦିଷ୍ଟ ଗୋଟିଏ ରାଜ୍ୟରେ ନୂହେଁ, ବରଂ ଏକାଧିକ, ରାଜ୍ୟ ଯଥା-ପଶ୍ଚିମବଙ୍ଗ, ଓଡ଼ିଶା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ଆଦି ବିଭିନ୍ନ ଜିଲ୍ଲାରେ ଏହି ସେବା ପହଞ୍ଚାଯାଉଥିବା ବ୍ୟକ୍ତିଙ୍କର ସୂଚନା ଦିଆଯାଇଛି। ଏହି କ୍ରମରେ ଏଥିରେ ଓଡ଼ିଶାର ୫ଟି ଅମ୍ଳଜାନ ଯୋଗାଣକାରୀ ବ୍ୟକ୍ତି/ସଂସ୍ଥା ବିଷୟରେ ତଥ୍ୟ ଉପଲବ୍ଧ। ରାଉରକେଲାରେ ଗୋଟିଏ ସଂସ୍ଥା ଥିବାବେଳେ ଭୁବନେଶ୍ବର ଓ କଟକରେ ୨ଟି ଲେଖାଏଁ ସଂସ୍ଥାର ଠିକଣା ଆପ୍ର ରହିଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସେବା ଯୋଗାଉଥିବା ସଂସ୍ଥାଙ୍କ ବିଷୟରେ ତଥ୍ୟ ଉପଲବ୍ଧ କରାଯିବ।
ଆଗାମୀ ଦିନରେ କୋଭିଡ୍ ରୋଗୀଙ୍କ ଜୀବନ ରକ୍ଷାକାରୀ ଔଷଧ ଯୋଗାଉଥିବା ବ୍ୟବସାୟୀଙ୍କର ମଧ୍ୟ ପୂର୍ଣ୍ଣ ବିବରଣୀ ରହିବ। ସଂପ୍ରତି ଏହି ଦିଗରେ କାର୍ଯ୍ୟ ଆଗେଇ ଚାଲିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, କୋଭିଡ୍ଯୋଗୁଁ ବାପା-ମା’ ଛେଉଣ୍ଡ ହୋଇଯାଇଥିବା ଶିଶୁଙ୍କ ବିଷୟରେ ମଧ୍ୟ ତାଲିକା ପ୍ରସ୍ତୁତ କରାଯାଉଛି। ଏନେଇ ବି ଟିମ୍ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଭବିଷ୍ୟତରେ ଉକ୍ତ ବାପା-ମା’ ଛେଉଣ୍ଡ ଶିଶୁଙ୍କୁ ଥଇଥାନ କରାଯିବାର ଯୋଜନା ରହିଛି। ସଂପ୍ରତି ଏହି ଆପ୍ରୁ ସୂଚନା ପାଇ ବହୁ ରୋଗୀ ନିଜର ଆବଶ୍ୟକତା ମେଣ୍ଟାଇପାରୁଛନ୍ତି। ଏହି ଟିମ୍ରେ ଥିବା ୧୮ ଜଣ ସଦସ୍ୟ ଦିନରାତି ଏନେଇ କାର୍ଯ୍ୟରତ। ଟିମ୍ର ସଦସ୍ୟମାନେ ପ୍ରଥମେ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ତଥ୍ୟା ଅନ୍ୟାନ୍ୟ ମାଧ୍ୟମରେ ଅମ୍ଳଜାନ, ଡାକ୍ତର, ଔଷଧ ଯୋଗାଣକାରୀସଂସ୍ଥା ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ସୂଚନାର ସତ୍ୟତା ନେଇ ପରୀକ୍ଷା କରାଯାଉଛି। ଏହାପରେ ଉକ୍ତ ସଂସ୍ଥା, ବ୍ୟକ୍ତିବିଶେଷଙ୍କ ଠିକଣା ବିଷୟରେ ଆପ୍ରେ ଅପଲୋଡ୍ କରାଯାଉଛି।
ଏହି ଆପ୍ ସୃଷ୍ଟି କରି ଜନସାଧାରଣଙ୍କୁ ଏକ ପ୍ଲାଟଫର୍ମ ଦେବାର ମହତ୍ ଉଦ୍ଦେଶ୍ୟ ପଛର ମୁଖ୍ୟ ନାୟକ ହେଉଛନ୍ତି ଏନ୍ଆଇଟି ବାୟୋମେଡିକାଲ ଇଞ୍ଜିନିୟରିଂ ବିଭାଗର ଶେଷ ବର୍ଷ ଛାତ୍ର ତଥା ଏନ୍ଆଇଟିର ‘ବ୍ଲିସ୍ ଏନ୍ ବ୍ଲିସ୍’ କ୍ଲବର ସଭାପତି କୋନି ବିଦ୍ୟା ସାଗର। ବିଦ୍ୟା ସାଗର ପ୍ରଥମେ ଏହି ଆପ୍ ସୃଷ୍ଟି କରିଥିଲେ। ପରେ କ୍ଲବର ଅନ୍ୟ ୧୮ ଜଣ ସଦସ୍ୟଙ୍କୁ ନେଇ ଟିମ୍ ଗଠନ କରିଥିଲେ। ତେବେ ଏହି ଆପ୍ ଗଠନ ବିଷୟରେ ବିଦ୍ୟାସାଗର କହିଛନ୍ତି, ବହୁ କରୋନା ରୋଗୀଙ୍କୁ ଅମ୍ଳଜାନ, ଡାକ୍ତରଙ୍କ ପରାମର୍ଶ, ଔଷଧ ଆବଶ୍ୟକ ହେଉଛି। ମାତ୍ର ଏସବୁ ସେବା କେଉଁଠି ଉପଲବ୍ଧ, ତାହା ସେମାନେ ଜାରିପାରୁନାହାନ୍ତି। ଏଣୁ ଏହି ସମସ୍ୟାକୁ ଦୂର କରି ହାତମୁଠାରେ ଏ ସଂକ୍ରାନ୍ତୀୟ ତଥ୍ୟ ପହଞ୍ଚାଇବାକୁ ଆପ୍ ସୃଷ୍ଟି କରାଯାଇଥିଲା। ଏହି ଆପ୍ରେ ଏକାଧିକ ବିଶେଷତ୍ବ ରହିଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରିବାକୁ ଯୋଜନା ରହିଥିବାବେଳେ ଏନେଇ ପ୍ରୟାସ ଜାରି ରହିଛି। ବିଶେଷକରି ବାପା-ପା’ ଛେଉଣ୍ଡ ଶିଶୁଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଥତଥାନ କରିବା ଦିଗରେ ଟିମ୍ କାମ ଆରମ୍ଭ କରିଦେଇଛି। ଖୁବ୍ ଶୀଘ୍ର ଦେଶର ସମସ୍ତ ଜିଲ୍ଲାରେ ଉପଲବ୍ଧ ଅମ୍ଳଜାନ ଯୋଗାଣକାରୀ, ଡାକ୍ତର, ପ୍ଲାଜ୍ମା ଦାତାଙ୍କ ବିଷୟରେ ଏକ ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ଆପ୍ରେ ଅପଲୋଡ୍ କରାଯିବ। ଯଦ୍ବାରା ଦେଶର ପ୍ରତ୍ୟେକ ଜିଲ୍ଲାର ଲୋକେ ଏହାର ସେବା ପାଇପାରିବେବୋଲି କହିଛନ୍ତି।