କରୋନା ମହାମାରୀ ୨ୟ ବିଶ୍ୱଯୁଦ୍ଧ ପରେ ମଣିଷ ସମାଜ ପାଇଁ ସବୁଠାରୁ ବଡ଼ ସଂକଟ : ଜାତିସଂଘ ମହାସଚିବ

ନ୍ୟୁୟର୍କ : ମହାମାରୀ ଘୋଷିତ ହୋଇଥିବା କରୋନା ଭାଇରସ ଏବେ ସମଗ୍ର ମାନବ ସମାଜ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ୨ୟ ବିଶ୍ୱଯୁଦ୍ଧ ପରଠାରୁ ମାନବ ସମାଜ ଏପରି ଭୟଙ୍କର ବିପଦର ସମ୍ମୁଖୀନ ହୋଇନଥିଲା ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ କହିଛନ୍ତି ।
କରୋନା ଭାଇରସ ସଂପର୍କିତ ଏକ ରିପୋର୍ଟର ଉନ୍ମୋଚନ କରି ସେ କହିଛନ୍ତି ଯେ ଜାତିସଂଘ ନିଜର ୭୫ ବର୍ଷର ଇତିହାସରେ ଏପରି ସଂକଟ ଦେଖିନାହିଁ । ଏହା କେବଳ ଏକ ସ୍ୱାସ୍ଥ୍ୟଗତ ସଂକଟ ନୁହେଁ ଏହା ଏକ ମାନବୀୟ ସଂକଟ । କାରଣ ଏହା ଗୋଟିଏ ପଟେ ହଜାର ହଜାର ମଣିଷଙ୍କ ଜୀବନ ନେଉଛି, ଅନ୍ୟପଟେ ଏହା ବିଶ୍ୱ ଅର୍ଥନୀତିକୁ ଏକ ବଡ଼ ଧରଣର ମାନ୍ଦାବସ୍ଥା ଆଡ଼କୁ ଠେଲିଦେଉଛି । ପ୍ରଥମ ଥର ପାଇଁ ବିଶ୍ୱର ସବୁ ମଣିଷଙ୍କ ପାଇଁ ଏହି ରୋଗ ଏକ ବିପଦଭାବେ ଦେଖାଦେଇଛି । ଏତେ ବଡ଼ ବିପଦର ମୁକାବିଲା କରିବା ପାଇଁ ବିଶ୍ୱର କ୍ଷମତାଶାଳୀ ଦେଶମାନେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୭୨ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪୩୨୭୨ରେ ପହଞ୍ଚିଛି । ଇଟାଲୀରେ ମୃତ୍ୟୁସଂଖ୍ୟା ୧୨୪୨୮ରେ ପହଞ୍ଚିଥିବାବେଳେ ସ୍ପେନରେ ମୃତ୍ୟୁସଂଖ୍ୟା ୯ ହଜାର ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ରେ ପହଞ୍ଚିିଥିବାବେଳେ ମୃତ୍ୟୁସଂଖ୍ୟା ୪୦୫୬ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର