ଲଣ୍ଡନ: କ୍ରିକେଟ୍ର ନିୟମ ପ୍ରଣୟନ କରୁଥିବା ସର୍ବୋଚ୍ଚ ସଂସ୍ଥା ଏମସିସି (ମେରିଲେବୋନ୍ କ୍ରିକେଟ୍ କ୍ଲବ୍) ନିୟମାବଳୀରେ ମୋଟ ୭୩ଟି ସଂଶୋଧନ କରିଛି ଓ ଏଗୁଡ଼ିକ ଆସନ୍ତା ଅକ୍ଟୋବର ମାସରୁ ଲାଗୁ ହେବ। ଏସବୁ ନିୟମଗୁଡ଼ିକ ଆଗାମୀ ଦିନରେ କ୍ରିକେଟ୍କୁ ବ୍ୟାପକ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି। ପ୍ରମୁଖ ସଂଶୋଧନ ମଧ୍ୟରେ ରହିଛି ଟେଷ୍ଟ୍ରେ ଶେଷ ଓଭର ବୋଲିଂ ନିୟମ। ଯଦି ଗୋଟିଏ ଦିନର ଖେଳରେ ଶେଷ ଓଭର ବୋଲିଂ କରାଯାଉଛି ଓ ଗୋଟିଏ ଓ୍ବିକେଟ୍ ପଡ଼ିଲା, ତେବେ ସେହି ଓଭରକୁ ଶେଷ କରିବା ବାଧ୍ୟତାମୂଳକ ହେବ। ଅର୍ଥାତ୍ ଓଭର ମଝିରୁ ଷ୍ଟମ୍ସ୍ ଅପସାରଣ କରାଯାଇପାରିବ ନାହିଁ।
ଆଉ ଏକ ସଂଶୋଧିତ ନିୟମ ହେଉଛି ବୋଲରଙ୍କ ରନ୍-ଅପ୍ ସମୟରେ ଓ୍ବିକେଟ ରକ୍ଷକ ନିଜର ଗ୍ଲୋଭସ୍କୁ ଷ୍ଟମ୍ସ ଆଗକୁ ସାମାନ୍ୟ ଆଣିପାରିବେ ଓ ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯିବ ନାହିଁ। ତେବେ ବୋଲରଙ୍କ ହାତରୁ ବଲ ବାହାରିବା ପରେ ତାଙ୍କର ଗ୍ଲୋଭସ୍ ଷ୍ଟମ୍ସ ପଛରେ ରହିବ। ସେହିପରି ଲାମିନେସନ ହୋଇଥିବା ବ୍ୟାଟ୍ଗୁଡ଼ିକୁ ଅନୁମତି ଦିଆଯିବ। ପୁଣି ବିଭିନ୍ନ ସ୍ତରର କ୍ରିକେଟ୍ ( ମହିଳା, କନିଷ୍ଠ, ଉପ-କନିଷ୍ଠ) ପାଇଁ ବଲର ଆକାର ( ସାଇଜ୍-୧,୨ ଓ ୩) ନିର୍ଦ୍ଧାରିତ କରାଯାଇଛି। ସେହିପରି ବନି ହପ୍ କ୍ୟାଚ୍ ନିୟମରେ ପରିବର୍ତ୍ତନ ଅଣାଯାଇଛି।
କ୍ରିକେଟ୍ରେ ଏମସିସିର ଗୁରୁତ୍ବ
କ୍ରିକେଟ୍ ଖେଳରେ ଏମସିସି (ମେରିଲେବୋନ୍ କ୍ରିକେଟ୍ କ୍ଲବ୍)ର ବିଶେଷ ଗୁରୁତ୍ବ ରହିଛି କାରଣ ଏହା କ୍ରିକେଟ୍ ଖେଳର ମୂଳ ନିୟମ ତିଆରି କରୁଥିବା ସର୍ବୋଚ୍ଚ ସଂସ୍ଥା। କ୍ରିକେଟ୍ରେ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, ଆଉଟ୍ ହେବାର ପ୍ରକାର, ମ୍ୟାଚ୍ର ପରିଚାଳନା, ଫଳାଫଳ ଇତ୍ୟାଦି ସମସ୍ତ ମୂଳ ନିୟମ ଏମସିସି ଦ୍ୱାରା ନିର୍ଦ୍ଧାରିତ। ଏମସିସି ଆଇନଗୁଡ଼ିକ ସାରା ବିଶ୍ୱ କ୍ରିକେଟ୍ରେ ଲାଗୁ ହୁଏ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏମସିସିର ନିୟମଗୁଡ଼ିକୁ ଅନୁସରଣ କରେ, କିନ୍ତୁ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦ ପରି ଭିନ୍ନ ଫର୍ମାଟ୍ ପାଇଁ ଆବଶ୍ୟକ ସ୍ଥଳେ ନିଜସ୍ୱ ଖେଳ ସର୍ତ୍ତାବଳୀ ଯୋଗ କରିଥାଏ।
ସରଳ ଭାଷାରେ କହିଲେ ଏମସିସିର ନିୟମଗୁଡ଼ିକ ହେଉଛି କ୍ରିକେଟ୍ର ଆଧାର ହୋଇଥିବାବେଳେ ଆଇସିସି ସେହି ନିୟମଗୁଡ଼ିକୁ ଆଧାର କରି ଆନ୍ତର୍ଜାତୀୟ ପ୍ରତିଯୋଗିତା କିମ୍ବା ମ୍ୟାଚ୍ ପାଇଁ କିଛି ଅତିରିକ୍ତ ଓ ପରିବର୍ତ୍ତିତ ନିୟମ ଲାଗୁ କରେ। ଏମସିସି ୧୭୮୭ ମସିହାରେ ଲଣ୍ଡନର ଲର୍ଡସଠାରେ ପ୍ରତିଷ୍ଠିତ ହୋଇଥିଲା। ମୂଳରୁ ଏହା ବିଶ୍ବ କ୍ରିକେଟ୍ ପରିଚାଳନାରେ ସର୍ବୋଚ୍ଚ ସଂସ୍ଥା ଥିଲା, ପରେ ୧୯୦୯ରେ ଏହି ଦାୟିତ୍ବ ଆଇସିସି (ତତ୍କାଳୀନ ଇମ୍ପିରିଆଲ୍ କ୍ରିକେଟ୍ କାଉନସିଲ୍) ନିକଟକୁ ଆସିଥିଲା। କିନ୍ତୁ ଏବେ ବି କ୍ରିକେଟ୍ର ନିୟମ ଏମସିସିର ସ୍ବତ୍ତ୍ବାଧିକାରଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/10/cricket-representative-image-2026-01-10-22-22-14.jpg)