ରାଜନଗର: ବଉଳା କୁମ୍ଭୀରଙ୍କ ଭୂସ୍ୱର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି । ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୮୨୬ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୩୨ଟି କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି । ଚଳିତ ବର୍ଷ ଭିତରକନିକାରେ କନିକା ରେଂଜର ପାଟ୍ଟଶାଳାମାଉଥରୁ ଏଫଆରଏଚଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳା ମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଗଣନା ସମୟରେ ଠାବ କରିଛି । ଏହି କୁମ୍ଭୀର ମାନଙ୍କର ବୟସ ୧୦୦ ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି । ଏଥିସହ ଜୟନଗର-ଖୋଳା ମଝି ବାଲିପଠା, ଥାନପତିମାଉଥ୍, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରାଗାଁ ନିକଟରେ ୧୫ ଫୁଟରୁ ଅଧିକ ଲମ୍ବର କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଏଥିସହ ଚଳିତ ବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ ନାଳରେ ଧଳାକୁମ୍ଭୀର ଦେଖିବାକୁ ମିଳିଥିଲା ।
ଗତବର୍ଷ ଭିତରକନିକା ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଠାବ ହୋଇ ଥିବାବେଳେ ଚଳିତବର୍ଷ ଗଣନା ବେଳେ ୨୦ଟି ଧଳା କୁମ୍ଭୀର ଠାବ କରାଯାଇଛି । ଗୋପାଳଜୀଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ୬ଟି ୧୮/୧୯ ଫୁଟ ଲମ୍ବର ୬ଟି ଧଳା ବଡକୁମ୍ଭୀର ଦେଖିବାକୁ ମିଳିଛି । ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ଭାରତରେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ଚଳିତ ମାସ ୮ ତାରିଖରୁ ୧୦ ତାରିଖ ଯାଏଁ ୩ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । ବରିଷ୍ଠ ଜୀବ ବିଜ୍ଞାନୀ ଡକ୍ଟର ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ । ଏହି ଗଣନା ସମୟରେ ଟି କୁମ୍ଭୀରଶାବକ (ଛୁଆ) ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର ୫୩୧ଟି, ବର୍ଷିକିଆ ଛୁଆ ଅର୍ଥାତ୍ ୨ ରୁ ୩ ଫୁଟିଆ କୁମ୍ଭୀର ୪୪୨ଟି, ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟ ଲମ୍ବର କୁମ୍ଭୀର ୩୬୫ଟି, ୪ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର ୧୬୭ଟି କୁମ୍ଭୀର ଦେଖିବାକୁ ମିଳିଥିବାବେଳେ ବଡ କୁମ୍ଭୀର ଅର୍ଥାତ ୮ ଫୁଟରୁ ଅଧିକ ଲମ୍ବର ୩୫୩ଟି କୁମ୍ଭୀର ଗଣନା ବେଳେ ଠାବ କରାଯାଇଛି ବୋଲି ଡିଏଫଓ ଭରଦରାଜ ଗାଓଁଙ୍କର ସୂଚନା ଦେଇଛନ୍ତି ।
ଚଳିତ ବର୍ଷ କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ଜାତୀୟ ଉଦ୍ୟାନ ବାହାରେ ୩୦୦ରୁ ଅଧିକ କୁମ୍ଭୀର ଠାବ କରାଯାଇଛି |୧୯୭୬ ମସିହା ଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି । ହୁଲିଡଙ୍ଗାରେ ପାରମ୍ପରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା । ଚଳିତବର୍ଷ କୁମ୍ଭୀର ଗଣନା ପ୍ରକ୍ରିୟାକୁ ୫୧ବର୍ଷ ପୁରିଛି । ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟ ଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀରମାନଙ୍କର ବଂଶବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍.ଆର୍. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ । ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ସଂଖ୍ୟା ୧୮୫୮ରେ ପହଁଚିଛି । କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/19/71727e48-52f3-4c5b-9865-80b7911cf697-2026-01-19-18-36-35.jpg)