କିଛି ବର୍ଷ ତଳେ ଶିଶୁ-କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ଏକ ବିଜ୍ଞାନ ପତ୍ରିକାରେ ଜଣେ ଲୋକପ୍ରିୟ ବିଜ୍ଞାନ ଲେଖକଙ୍କର ଏକ ଅଦ୍ଭୁତ ଲେଖା ପଢ଼ିଥିଲି। ଲେଖାର ଶୀର୍ଷକ ଥିଲା ‘ଦହି ଆଇଁଷ, ଅଣ୍ଡା ନିରାମିଷ’। ଲେଖକ ଜଣକ ହୁଏତ ଜଣେ ବିଜ୍ଞାନ ଅଧ୍ୟାପକ ହୋଇଥିବେ, ନାମ ତାଙ୍କର ମନେ ନାହିଁ। ଲେଖାଟି ପଢ଼ି ତଥାକଥିତ ବୈଜ୍ଞାନିକଙ୍କ ଜ୍ଞାନର ପରିସରକୁ ନେଇ ଚିନ୍ତା ଉଦ୍ରେକ ହେଉଥିଲା। ନା ଦହି ବିଷୟରେ ତାଙ୍କର ପୂର୍ଣ୍ଣ ବୈଜ୍ଞାନିକ ଜ୍ଞାନ ଅଛି ନା ଅଣ୍ଡା ବିଷୟରେ, ନା ସେ ଆମିଷ ଓ ନିରାମିଷ ଶବ୍ଦର ଅର୍ଥ ବୁଝିଛନ୍ତି।
ଲେଖକ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ଅଣ୍ଡା ଏକ ପ୍ରାଣିଜ ଖାଦ୍ୟ, ମାତ୍ର ଆଜିକାଲିର ବ୍ରଏଲର ଅଣ୍ଡାରୁ ଛୁଆ ଫୁଟନ୍ତି ନାହିଁ। ତେଣୁ ଅଣ୍ଡା ଖାଇଲେ କୌଣସି ଜୀବ ବା ଭ୍ରୂଣହତ୍ୟା ହୁଏ ନାହିଁ। ଏଣୁ ଅଣ୍ଡା ନିରାମିଷ। ଅପରପକ୍ଷେ ଦହି ଭିତରେ ହଜାର ହଜାର ବୀଜାଣୁ ଥାନ୍ତି। ତେଣୁ ଆମେ ଦହି ଖାଇବା ଭିତରଦେଇ ସେହି ବୀଜାଣୁମାନଙ୍କୁ ଖାଇଥାଉ। ବୀଜାଣୁମାନେ କ୍ଷୁଦ୍ର ଜୀବ ହୋଇଥିବାରୁ ଆମେ ଜୀବହତ୍ୟାରେ ଭାଗୀଦାର ହେଉ ଏବଂ ସେମାନଙ୍କୁ ଖାଇବା ଦ୍ବାରା ଆମେ ଆମିଷ ହିଁ ଖାଇଥାଉ।
ଏବେ ଆମେ ପ୍ରଥମେ ଆମିଷ ଶବ୍ଦଟିର ବ୍ୟାଖ୍ୟା କରିବା। ଆମିଷ ଶବ୍ଦଟି ଅମ୍ ଧାତୁରୁ ଆସିଛି, ଯାହାର ଅର୍ଥ ରୁଗ୍ଣ ହେବା। ଅମ୍ ଧାତୁରୁ ଆମୟ (ରୋଗ) ଓ ନିରାମୟ (ନିରୋଗ) ଶବ୍ଦ ମଧ୍ୟ ଆସିଛି। ଏଣୁ ଯାହା ଖାଇଲେ ରୋଗ ହୁଏ ତାହାର ନାମ ଆମିଷ। ଭାରତୀୟ ସଂସ୍କୃତିରେ କେବଳ ପ୍ରାଣିଜ ଖାଦ୍ୟକୁ ଆମିଷ କୁହାଯାଏ ନାହିଁ, ପିଆଜ, ରସୁଣ ପ୍ରଭୃତି ଉତ୍ତେଜକ ଖାଦ୍ୟକୁ ମଧ୍ୟ ଆମିଷ ପର୍ଯ୍ୟାୟରେ ନିଆଯାଇଛି। ପ୍ରାଣିଜ ଖାଦ୍ୟ ଭିତରେ କେବଳ ଗାଈ କ୍ଷୀର ଓ କ୍ଷୀରଜାତ ଖାଦ୍ୟ ଏବଂ ମହୁକୁ ନିରାମିଷ ଭାବେ ଗଣାଯାଇଥାଏ। ଗାଈ କ୍ଷୀର, ଦହି, ଘିଅ ଓ ମହୁକୁ ତ ଅମୃତ କୁହାଯାଏ, ଯାହା ସହ ଗୁଡ଼ ମିଶାଇ ପଞ୍ଚାମୃତ ତିଆରି କରାଯାଏ। ପଞ୍ଚାମୃତକୁ ସବୁଠାରୁ ପୌଷ୍ଟିକ ଖାଦ୍ୟ ଭାବେ ଗଣାଯାଏ, ଯାହା ସାଧାରଣତଃ ପୂଜାପର୍ବରେ ବ୍ୟବହୃତ ହୁଏ।
କ୍ଷୀର ଯେତେବେଳେ ଦହି ହୁଏ, ସେଥିରେ ଅସଂଖ୍ୟ ବୀଜାଣୁ ସୃଷ୍ଟି ହୁଅନ୍ତି। ଏହି ବୀଜାଣୁଗୁଡ଼ିକର କୋଷ ହେଉଛି ଉଦ୍ଭିଦ କୋଷ। ଏଗୁଡ଼ିକ ଉପକାରୀ ବୀଜାଣୁ, ଯିଏ ଆମର ରୋଗନିରୋଧକ କ୍ଷମତା ବୃଦ୍ଧି କରନ୍ତି। ଏଣୁ ଆଣ୍ଟିବାୟୋଟିକ୍ସ ଦିଆଯାଉଥିବା ରୋଗୀମାନଙ୍କୁ ଦହି ଖାଇବାକୁ ପରାମର୍ଶ ଦିଆଯାଏ, ଯେଉଁଥିରେ ଲାକ୍ଟୋବାସିଲସ ଥାଏ। କାରଣ ଆଣ୍ଟିବାୟୋଟିକ୍ସ ସେବନ ଦ୍ବାରା ଆମ ଦେହରେ ଥିବା ଅପକାରୀ ଜୀବାଣୁ ସହ ଉପକାରୀ ଜୀବାଣୁମାନେ ମଧ୍ୟ ମରିଯାଆନ୍ତି। ଫଳରେ ଆମର ରୋଗନିରୋଧକ କ୍ଷମତା ହ୍ରାସ ପାଏ। ତେଣୁ ସେହି ଉପକାରୀ ବୀଜାଣୁଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଆମକୁ ଦହି କିମ୍ବା ପ୍ରୋ ଓ ପ୍ରି-ବାୟୋଟିକ୍ସ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି।
ଅଣ୍ଡା ହେଉଛି କୁକୁଡ଼ାଙ୍କର ମେନଷ୍ଟ୍ରୁଆଲ ବ୍ଲଡ୍ର ଏକ ରୂପାନ୍ତର। ଏହା ଏକ ପ୍ରାଣିଜ ଖାଦ୍ୟ, ତାହା ସାଧାରଣ ଅଣ୍ଡା ହେଉ କି ବ୍ରଏଲର ଅଣ୍ଡା। ଏଥିରେ ବ୍ୟାଡ୍ କୋଲେଷ୍ଟରଲ ଅଧିକ ପରିମାଣରେ ଥିବାରୁ ଏବଂ ଉତ୍ତେଜକ ହୋଇଥିବାରୁ ଏହାକୁ ଆମିଷ ଓ ରୋଗକାରକ ଭାବେ ଗଣାଯାଏ। ବ୍ରଏଲର କୁକୁଡ଼ା ଓ ଅଣ୍ଡା ତ ଆହୁରି ଖରାପ। ବ୍ରଏଲର କୁକୁଡ଼ା ଏକ ହର୍ମୋନ୍-ଇମ୍ବାଲାନ୍ଡ ପ୍ରାଣୀ। ଏପରି କୁକୁଡ଼ା ଓ ଅଣ୍ଡା ଖାଉଥିବା ଲୋକଙ୍କଠାରେ ହର୍ମୋନ-ଅସନ୍ତୁଳନ ଦେଖିବାକୁ ମିଳେ। ଫଳରେ ସେମାନେ ଅଧିକ ଚିଡ଼ିଚିଡ଼ା ଓ ରୋଗୀ ହୁଅନ୍ତି ଏବଂ ସେମାନଙ୍କର ଯୌନ କ୍ଷମତା ହ୍ରାସ ପାଏ। ଅନେକଙ୍କଠାରେ ବନ୍ଧ୍ୟାତ୍ବ ଓ ନପୁଂସକତ୍ବ ଦେଖିବାକୁ ମିଳେ। କେବଳ ହର୍ମୋନ୍ ନୁହେଁ ଏହି କୁକୁଡ଼ାକୁ ଅପରିଚ୍ଛନ୍ନ ପରିବେଶରେ ରଖାଯାଏ। ତେଣୁ ସଂକ୍ରାମକ ରୋଗ ହେବାର ଭୟ ଥିବାରୁ ଆଣ୍ଟିବାୟୋଟିକ୍ସ ପ୍ରବଳ ମାତ୍ରାରେ ଦିଆଯାଏ। ଏଣୁ ଏହି କୁକୁଡ଼ାଙ୍କ ଦେହରେ ଥିବା ଜୀବାଣୁ କ୍ରମଶଃ ଆଣ୍ଟିବାୟୋଟିକ୍ସ-ରେଜିଷ୍ଟାଣ୍ଟ ହୋଇପଡ଼ନ୍ତି। ଏହି କୁକୁଡ଼ା ଓ ଅଣ୍ଡାକୁ ଯେଉଁମାନେ ଖାଆନ୍ତି, ସେମାନେ ମଧ୍ୟ ରେଜିଷ୍ଟାଣ୍ଟ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସନ୍ତି। ଫଳରେ ରୋଗ ହେଲେ ସେହି ଆଣ୍ଟିବାୟୋଟିକ୍ସ ଆଉ କାମ କରେ ନାହିଁ। ଏହା ଏକ ସାଂଘାତିକ ଜିନିଷ। ପୁଣି ଅପରିଚ୍ଛନ୍ନ ପରିବେଶରେ ବଢ଼ୁଥିବାରୁ ଏହି କୁକୁଡ଼ାଙ୍କଠାରୁ ସଂକ୍ରାମକ ରୋଗର ଜୀବାଣୁ ଓ ଭୂତାଣୁ ମଣିଷକୁ ସଂକ୍ରାମିତ ହେବାର ଭୟ ଥାଏ। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା, ତାହା ବ୍ରଏଲର ହେଉ କି ଯାହା ହେଉ, ଆମିଷ ମଧ୍ୟରେ ହିଁ ଗଣାଯିବ।
ଏବେ ଆସିବା ଦହି ପାଖକୁ। ଦହି କ୍ଷୀରରୁ ତିଆରି ହୁଏ। କ୍ଷୀରର କୋଷଗୁଡ଼ିକ ହେଉଛି ପ୍ରାଣୀ କୋଷ। କିନ୍ତୁ ଏହା ଯେତେବେଳେ ଦହିରେ ପରିଣତ ହୁଏ, ଏହାର ଅନେକ ପ୍ରାଣୀ କୋଷ ଉଦ୍ଭିଦ କୋଷକୁ ରୂପାନ୍ତରିତ ହୁଅନ୍ତି। ଅନେକ ବର୍ଷ ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ତଥା ଉଦ୍ଭିଦ ବିଜ୍ଞାନର ପ୍ରଫେସର ଡ ହରିହର ପଟ୍ଟନାୟକ ମୋତେ ଏହାର ତତ୍ତ୍ବ ବୁଝାଇଥିଲେ। ସେ ମୋତେ ବୁଝାଇଲେ ଯେ, କ୍ଷୀର ଯେତେବେଳେ ଦହି ହୁଏ, ସେଥିରେ ଅସଂଖ୍ୟ ବୀଜାଣୁ ସୃଷ୍ଟି ହୁଅନ୍ତି। ଏହି ବୀଜାଣୁଗୁଡ଼ିକର କୋଷ ହେଉଛି ଉଦ୍ଭିଦ କୋଷ। ଏଗୁଡ଼ିକ ଉପକାରୀ ବୀଜାଣୁ, ଯିଏ ଆମର ରୋଗନିରୋଧକ କ୍ଷମତା ବୃଦ୍ଧି କରନ୍ତି। ଏଣୁ ଆଣ୍ଟିବାୟୋଟିକ୍ସ ଦିଆଯାଉଥିବା ରୋଗୀମାନଙ୍କୁ ଦହି ଖାଇବାକୁ ପରାମର୍ଶ ଦିଆଯାଏ, ଯେଉଁଥିରେ ଲାକ୍ଟୋବାସିଲସ ଥାଏ। କାରଣ ଆଣ୍ଟିବାୟୋଟିକ୍ସ ସେବନ ଦ୍ବାରା ଆମ ଦେହରେ ଥିବା ଅପକାରୀ ଜୀବାଣୁ ସହ ଉପକାରୀ ଜୀବାଣୁମାନେ ମଧ୍ୟ ମରିଯାଆନ୍ତି। ଫଳରେ ଆମର ରୋଗନିରୋଧକ କ୍ଷମତା ହ୍ରାସ ପାଏ। ତେଣୁ ସେହି ଉପକାରୀ ବୀଜାଣୁଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଆମକୁ ଦହି କିମ୍ବା ପ୍ରୋ ଓ ପ୍ରି-ବାୟୋଟିକ୍ସ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି। ଏବେ କୁହନ୍ତୁ ଦହି ଆମିଷ ନା ନିରାମିଷ?
-ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨