କଟକ ଲୋକସଭା: ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା; ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଦଳୀୟ ସଂଗଠନର ସ୍ଥିତି ନେବ ନିର୍ଣ୍ଣାୟକ ଭୂମିକା

କଟକ (ପୁଷ୍ପମିତ୍ର ମହାନ୍ତି): ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ଅନ୍ୟତମ ସମ୍ମାନଜନକ ଆସନ କଟକର ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଆସନରୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଭାବେ ଗତ ଲୋକସଭାରେ ଏହି ଆସନରୁ ନିର୍ବାଚିତ ହୋଇଥିବା ସାଂସଦ ଭର୍ତ୍ତୃହରି ମହତାବ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜନୀତିରେ ନବାଗତ ଅବସର ପ୍ରାପ୍ତ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଇଛି। ସେହିପରି ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟ ରାଜନୀତିର ଅନ୍ୟତମ ପ୍ରବୀଣ ଓ ଅଭିଜ୍ଞ ରାଜନେତା ପଞ୍ଚାନନ କାନୁନ୍‌ଗୋଙ୍କୁ ନିଜର ଦଳୀୟ ପ୍ରାର୍ଥୀ କରିଛି କଂଗ୍ରେସ। ତେବେ, ଚଳିତ ନିର୍ବାଚନରେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ୮ ଜଣ ପ୍ରାର୍ଥୀ ପ୍ରାୟ ପ୍ରଭାବଶୂନ୍ୟ ରହିଥିବା କାରଣରୁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଏହି ତିନି ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ହିଁ ସୀମିତ ରହିଥିବା ଓ ଏହି ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଦେଖିବା ପାଇଁ ମିଳିଛି।

ଉଲ୍ଲେଖଯୋଗ୍ୟ, ଏହି ଲୋକସଭା ଆସନରୁ ୧୯୯୬ରେ ପରାଜୟ ସ୍ୱୀକାର କରିଥିବା ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୧୯୯୮ରୁ ୧୯୧୪ ପର୍ଯ୍ୟନ୍ତ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜୟୀ ହୋଇ ଏହି ଲୋକସଭା ଆସନର ସାଂସଦ ଭାବେ ଲୋକସଭାରେ ପ୍ରତିନିଧିତ୍ୱ କରି ଆସିଛନ୍ତି। ୨୦୧୯ରେ ପୁଣି ଥରେ ଏହି ଆସନରୁ ସପ୍ତମ ଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅଭିଜ୍ଞ ପାର୍ଲିମେଣ୍ଟାରିଆନ୍‌ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ସୁଦକ୍ଷ ବିନ୍ଧାଣୀ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ। କିନ୍ତୁ, ଏଥରକ ନିର୍ବାଚନ ମଇଦାନରେ ଭର୍ତ୍ତୃହରିଙ୍କୁ ଟକ୍କର ଦେଉଛନ୍ତି ଆଇପିଏସ୍‌ ଚାକିରିରୁ ଅବସର ଗ୍ରହଣ କରିବା ପରେ ସଦ୍ୟ ବିଜେପିରେ ଯୋଗ ଦେଇଥିବା ପ୍ରକାଶ ମିଶ୍ର। ତେବେ, ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ରାଜନୀତିରେ ନବାଗତ ଥିଲେ ମଧ୍ୟ ବେଶ କିଛି କାଳ ପାଇଁ ରାଜ୍ୟ ପୁଲିସ୍‌ର ମହାନିର୍ଦ୍ଦେଶକ ରହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଭାବେ ଅବତୀର୍ଣ୍ଣ ହୋଇଛନ୍ତି ଅନୁଭବୀ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ।

Odisha Bytes

ନିର୍ବାଚନ ପ୍ରଚାର ଦୃଷ୍ଟିରୁ ଦେଖିବାକୁ ଗଲେ, ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ବିଜେପି ନେତା ମୁକ୍ତାର ଆବାସ୍‌ ନକ୍‌ଭୀ, ନେତ୍ରୀ ଉମା ଭାରତୀ, ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସେହିପରି ବିଜେଡିର ଦଳୀୟ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ତାଙ୍କ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’ କରି ଦଳୀୟ ପ୍ରାର୍ଥୀ ଶ୍ରୀ ମହତାବଙ୍କ ପାଇଁ ପ୍ରଚାର ସହ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋ ମଧ୍ୟ ତାଙ୍କର ନିଜସ୍ୱ ଅନୁଭବ ଅଭିଜ୍ଞତାକୁ ଆଧାର କରି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ନିଜର ପ୍ରଚାର ଜାରି ରଖିଥିଲେ ସୁଦ୍ଧା ବିଜେଡି ଓ ବିଜେପିର ନିର୍ବାଚନ ପ୍ରଚାର ତୁଳନାରେ କଂଗ୍ରେସର ପ୍ରଚାର ଫିକା ରହିଥିବା ଦେଖିବାକୁ ମିଳିଥିଲା।

ତେବେ ଗୋଟେ ପଟେ ମୋଦୀ ହାଓ୍ଵାକୁ ପାଥେୟ କରି ବିଜେପି ଓ ବିଜେଡି ସୁପ୍ରିମୋ ନବୀନଙ୍କ କରିସ୍ମାକୁ ପାଥେୟ କରି କଟକ ଲୋକସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଗତ ରବିବାର ସନ୍ଧ୍ୟାରୁ ଏହି ଆସନ ପାଇଁ ପ୍ରଚାର ଶେଷ ହୋଇ ଯାଇଥିବା ବେଳେ ଆଜି ରାତି ପାହିଲେ କାଲି (ମଙ୍ଗଳବାର) ସକାଳୁ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ତେବେ, ଏହି ସମ୍ମାନଜନକ ଆସନରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଦଳୀୟ ସଂଗଠନର ସ୍ଥିତି ହିଁ ପ୍ରାଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହେବା ପାଇଁ ହାତରେ ଆଉ ମାତ୍ର ୨୪ ଘଣ୍ଟାରୁ କମ ସମୟ ରହି ଯାଇଥିବା ବେଳେ ଏହି ଆସନ ପାଇଁ ହାତୀ କହା ମୁଣ୍ଡରେ ସୁନା କଳସ ଢ଼ଳୁଛି, ତାହା ମେ ୨୩ରେ ହିଁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର