ଅକ୍ଟୋବରରେ ଅଶାନ୍ତ ରହିବ ବଙ୍ଗୋପସାଗର, ଆସୁଛି ଏକାଧିକ ବାତ୍ୟା

ଭୁବନେଶ୍ବର : ଅକ୍ଟୋବର ମାସଟି ସାଧାରଣତଃ ଓଡ଼ିଶାରେ ବାତ୍ୟା ମାସ ବୋଲି କୁହାଯାଏ । ପୂର୍ବରୁ ମହାବାତ୍ୟା, ଫାଇଲିନ, ହୁଡହୁଡ, ତିତିଲି ଆଦି ବାତ୍ୟା ଏହି ମାସରେ ଆସିଥିଲା । ଏବର୍ଷ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗର ଅଶାନ୍ତ ରହିବା ଆଶଙ୍କା କରାଯାଉଛି ।

ଆସନ୍ତା ୯ ତାରିଖ ସୁଦ୍ଧା ମିଆଁମାର ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।  ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୩୬ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଏହି ବାତ୍ୟା ଶେଷ ହେଉ ହେଉ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି । ଏହି ବାତ୍ୟାଟି ପଶ୍ଚିମ ଫିଲିପାଇନ୍ସ ସାଗରରେ ଦାନା ବାନ୍ଧୁଛି । ଏହା ଥାଇଲାଣ୍ଡ ଓ ମିଆଁମାର ଦେଇ ବଙ୍ଗୋପସାଗରରେ ପ୍ରବେଶ କରିବ । ତେବେ ବଙ୍ଗୋପସାଗରରେ ପ୍ରବେଶ କରିବାବେଳକୁ ଏହା ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଯାଇଥିବ ବୋଲି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ।

ଗତ ସେପ୍ଟେମ୍ବର ମାସରେ ମଧ୍ୟ ଠିକ ଏପରି ହୋଇଥିଲା । ବାତ୍ୟା ଗୁଲାବ ପଛକୁ ଭିଏତନାମରେ ସୃଷ୍ଟି ହୋଇଥିବା ବାତ୍ୟା ଡିଆମୁ ଏକ ଲଘୁଚାପ ରୂପ ନେଇ ବଙ୍ଗୋପସାଗରରେ ପ୍ରବେଶ କରିଥିଲା ।

ସମ୍ବନ୍ଧିତ ଖବର