ଖୋର୍ଦ୍ଧା  : ଡକାୟତି ଉଦ୍ୟମ ପଣ୍ଡ, ମାରଣାସ୍ତ୍ର, କାର ସମେତ ୪ ଗିରଫ, ୨ ଫେରାର୍

ଖୋର୍ଦ୍ଧା  : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଏକ ବଡ଼  ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି । ଏହି ଘଟଣାରେ ଏକ ଡକାୟତି ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଜଣ ଫେରାର୍ ହୋଇଯାଇଥିବା ଜଣାଯାଇଛି ।

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଏସ୍ଆଇ ରଶ୍ମୀ ରଂଜନ ଦାସ ଓ ଅନ୍ୟ ୫ଜଣ ପୁଲିସ୍ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟ ପୋଡ଼ା ସାହିର ହଂସପୋଡ଼ା ପୋଖରୀ ନିକଟରେ କିଛି ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଖବର ପାଇଥିଲେ । ଚଢ଼ଉ ବେଳେ ୪ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୨-୩ଜଣ ଫେରାର୍ ହୋଇଯାଇଥିଲେ ।

ଟାଉନ୍ ଥାନା ଏ ଏସ୍ଆଇ ନାରାୟଣ ସୁଆରଙ୍କ କହିବାନୁସାରେ, ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ପ୍ରଧାନସାହିର ଆଶିଷ ରଂଜନ ପ୍ରଧାନ ଓରଫ କାହ୍ନା(୩୦), ଗୁରୁଜଙ୍ଗ ମାଳିସାହିର ଚିନ୍ମୟ ମହାପାତ୍ର ଓରଫ ଚିନୁ (୨୪), ଗୁରୁଜଙ୍ଗ କୋଚିଲାକଣହିର ସୋମନାଥ ସାହୁ ଓରଫ ସୁରେଶ (୩୦), ଦଶପଲ୍ଲା ଥାନା ଅଧୀନ ଖଣ୍ଡପଡ଼ା ସତପାତ୍ରର ସୁଜିତ କୁମାର ଦାଶ (୩୦)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ୨ଟି ଲୁହାଛଡ଼, ଗୋଟିଏ କାର୍ ଓ ଗୋଟିଏ ମୋଟରସାଇକଲ୍ ଜବତ କରାଯାଇଛି । ଏନେଇ କେସ୍ ନଂ ୩୬୯/୨୦୨୦ରେ ଦଫା ୩୯୯/୪୦୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଫେରାର୍ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର