‘ଡାକ-ପାଲିଙ୍କି’ରେ ‘ନୀଳାଦ୍ରିବିଜେ’ର ‘ରସଗୋଲା’

ରଥ କଥା / ଅସିତ ମହାନ୍ତି

‘ରସଗୋଲା’ ଯେ ‘ନୀଳାଦ୍ରିବିଜେ’ର ନୈବେଦ୍ୟ, ଦେବୀ ଲକ୍ଷ୍ମୀଙ୍କ ‘ମାନଭଞ୍ଜନର ମହୌଷଧି’- ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି ୧ ମାର୍ଚ୍ଚ ୨୦୧୮, ଦୋଳପୂର୍ଣ୍ଣିମା ଦିନ । ସେଦିନ ପୁରୀ ମୁଖ୍ୟ ଡାକଘରଠାରେ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହେଲା ଗୋଟିଏ ସ୍ୱତନ୍ତ୍ର ଡାକ ଲଫାଫା । ତାହାର ବିଷୟ ଥିଲା, ଶ୍ରୀଜଗନ୍ନାଥଙ୍କ ଭୋଗ-ପ୍ରସାଦରେ ରସଗୋଲା । ନିୟମ ଅନୁସାରେ- ହିନ୍ଦୀ ଓ ଇଂରାଜୀ ଭାଷାରେ ସେଥିରେ ଲେଖାଥିଲା- ‘ଶ୍ରୀଜଗନ୍ନାଥଜୀ କେ ବ୍ୟଞ୍ଜନ ମେଁ ରସଗୋଲା’, ‘Rasagola in Srijagannathji’s Cuisine’ ।

ତାହା ଥିଲା ଏକ ‘ପାଲିଙ୍କି-ବାହିତ ରସଗୋଲା’ । ଏପରି ସ୍ୱତନ୍ତ୍ର ଲଫାଫା ଜାରି କରାଯିବାର ବ୍ୟବସ୍ଥା ଭାରତୀୟ ଡାକ ବିଭାଗରେ ଅଛି । ତାହା ହେଉଛି, କେହି ଚାହିଁଲେ କୌଣସି ଗୋଟିଏ ବିଷୟରେ ସେହି ସ୍ୱତନ୍ତ୍ର ଲଫାଫା ଜାରି କରିପାରିବେ । ତେବେ ସେପରି କୌଣସି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ତାହାର ବୈଧତା ଯାଞ୍ଚ କରାଯାଇଥାଏ ।

ପୁରୀର ‘ଶ୍ରୀକ୍ଷେତ୍ର ସାଙ୍ଗୀ’ ନାମକ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ପ୍ରକାଶକ ମହେନ୍ଦ୍ର ମିଶ୍ର ତାହାର ଉଦ୍ୟୋକ୍ତା ଥିଲେ । ତାଙ୍କର ଆଗ୍ରହରେ ସେହି ସ୍ୱତନ୍ତ୍ର ଲଫାଫା ଜାରି କରାଯିବାପାଇଁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଥିଲା । ଓଡ଼ିଶା ପରିମଣ୍ଡଳ, ଭୁବନେଶ୍ୱରର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ (ସି.ପି.ଏମ୍‍.ଜି) ସନ୍ତୋଷ କୁମାର କାମିଲା ତାହାକୁ ବିଧିବଦ୍ଧ ଭାବରେ ଅନୁମୋଦନ କରିଥିଲେ ଏବଂ ପୁରୀ ମୁଖ୍ୟ ଡାକ ଘରଠାରେ ସେ ନିଜେ ଉପସ୍ଥିତ ରହି ତାହାକୁ ଉନ୍ମୋଚନ କରିଥିଲେ । ବିଧି ଅନୁସାରେ, ତା’ ପୂର୍ବରୁ ଶ୍ରୀମନ୍ଦିରର ସିଂହଦ୍ୱାରଠାରେ ଥିବା ଉପଡାକଘରୁ ସେହି ଲଫାଫାକୁ ବିଧିମତେ ପୁରୀ ମୁଖ୍ୟ ଡାକଘରକୁ ଅଣାଯାଇଥିଲା । ତାହାର ପ୍ରାପକ ଥିଲେ ‘ଶ୍ରୀକ୍ଷେତ୍ର ସାଙ୍ଗୀ’ର ସଭାପତି ।

ସେହି ଲଫାଫାରେ ଶ୍ରୀମନ୍ଦିରର ଛବି ସହିତ ରସଗୋଲା ଭୋଗର ଛବି ଅଛି । ତିିନି ରଥରେ ଥିବା ଠାକୁରମାନଙ୍କୁ ସର୍ପାମଣୋହି ବିଧିରେ ରସଗୋଲା ଅର୍ପଣ କରାଯାଉଥିବାର ମଧ୍ୟ ଛବି ରହିଛି । ରସଗୋଲା ହାଣ୍ଡି ସହ ଦେବୀ ଲକ୍ଷ୍ମୀଙ୍କ ମୁହଁ ଥାଇ ଏକ ସିଲ୍‍ ମୋହର ମଧ୍ୟ ଦିଆଯାଇଛି। ରସଗୋଲା ଯେ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେର ପାରମ୍ପରିକ ଭୋଗ ପ୍ରସାଦ, ତାହା ମଧ୍ୟ ସେଥିରେ ସ୍ପଷ୍ଟ ଭାବରେ ସୂଚିତ ହୋଇଛି ।

ଏହି ସ୍ୱତନ୍ତ୍ର ପାଲିଙ୍କି-ବାହିତ ରସଗୋଲା ଲଫାଫାର ପଛ ପାଖରେ ଓଡ଼ିଆ ହିନ୍ଦୀ ଓ ଇଂରାଜୀ- ତିନିଟି ଭାଷାରେ ବିବରଣୀ ଅଛି । ‘ନୀଳାଦ୍ରିବିଜେ ରସଗୋଲା’ ଶୀର୍ଷକରେ ଓଡ଼ିଆ ଭାଷାରେ ଲେଖା ଅଛି, “ଛେନାରୁ ପ୍ରସ୍ତୁତ ଓଡ଼ିଶାର ମିଠା ଭିତରେ ରାଜା ହେଉଛି ରସଗୋଲା । ବଳରାମ ଦାସ (ଖ୍ରୀ.ଅ. ୧୪୭୨-୧୫୫୦)ଙ୍କ ‘ଦାଣ୍ଡି ରାମାୟଣ’ରେ ଏହାର ଉଲ୍ଲେଖ ଅଛି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ ‘ନୀଳାଦ୍ରିବିଜେ’ରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଏହା ଦେବୀ ଲକ୍ଷ୍ମୀଙ୍କୁ ନିବେଦିତ ହୋଇଥାଏ । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାବେଳେ ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିଥାଆନ୍ତି; ତେଣୁ ଏହି ରସଗୋଲା ଭୋଗ ତାଙ୍କର ମାନଭଞ୍ଜନ କରିଥାଏ ବୋଲି କଥିତ ଅଛି । ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ୱଲିପି ଅନୁସାରେ, ଏହା ନୀଳାଦ୍ରିବିଜେର ଭୋଗ । ପୁରୀ ମନ୍ଦିରର ତଢଉକରଣ ସେବକଙ୍କ ପାଞ୍ଜିରେ ମଧ୍ୟ ଏ ସଂପର୍କରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରର ଭିତରଛ ମହାପାତ୍ର ସେବକ ଏହି ଭୋଗ କରିଥାନ୍ତି ।”

ଶ୍ରୀଜଗନ୍ନାଥଙ୍କ ପବିତ୍ର ଦୋଳ ଯାତ୍ରା ଅବସରରେ, ଭାରତୀୟ ଡାକ ବିଭାଗ ପକ୍ଷରୁ ଏହି ପାଲିଙ୍କି-ବାହିତ ରସଗୋଲା ଲଫାଫା ଜାରି ହୋଇଥିଲା । ତାହା ଥିଲା ଓଡ଼ିଶାର ରସଗୋଲା ପାଇଁ ଗୋଟିଏ ସ୍ୱତନ୍ତ୍ର ସ୍ୱୀକୃତି । ରସଗୋଲା ଯେ ପାରମ୍ପରିକ ଭାବରେ ନୀଳାଦ୍ରି ବିଜେର ଭୋଗ-ପ୍ରସାଦ ଏବଂ ସେହି ସୂତ୍ରରେ ଓଡ଼ିଶାର, ଏହାକୁ ଡାକ ବିଭାଗର ମୋହର ସେଦିନ ଆଉଥରେ ସ୍ୱୀକୃତି ଦେଇଥିଲା ।

 

ସମ୍ବନ୍ଧିତ ଖବର